ଦକ୍ଷିଣ ଓଡ଼ିଶାରେ ବିଜେଡି ଗଡ଼ ଭୁଶୁଡୁଛି, ବିଜେପି ମାଡ଼ି ଚାଲିଛି

ବିଜେଡି ଗଡରେ ମାଡ଼ିଚାଲିଛି ବିଜେପି। ଦକ୍ଷିଣ ଓଡ଼ିଶା ରାଜନୀତି ଏବେ କଡ଼ ଲେଉଟାଉଛି। ବିଜେପି ଧିରେ ଧିରେ ଗୋଟିଏ ପରେ ଗୋଟିଏ ସ୍ଥାନ କବଜା କରିଚାଲିଛି। ଦିନେ ଯେଉଁଠି ବିଜେଡି ରାଜ କରୁଥିଲା, ଦଳ ହାରିବା ପରେ ସେଠି ଏବେ ମୁହାଁମୁହିଁ ସ୍ଥିତି। ଯାହା ବିଜେପିକୁ ବେଶ୍ ସୁହାଉଛି। ରାୟଗଡ଼ା ଓ ଗଞ୍ଜାମରେ ପତିଆରା ବଢ଼ାଉଛି ପଦ୍ମ। ବିଜେଡି ଫାଟରୁ ଫାଇଦା ନେବା ଚକ୍କରରେ ବିଜେପି। ଆଗକୁ ପୌର ନିର୍ବାଚନ। ତା ପୂର୍ବରୁ ବିଜେପି ପ୍ରସ୍ତୁତି ଚଲେଇଛି। ଯେହେତୁ ବିଜେଡି ଛିଡୁଛି, ବିଜେପି ସେ ସବୁ କବଜା କରିନେଉଛି।

ଏଇ ଯେମିତି ରାୟଗଡାରେ ବିଜେଡି ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଇଛି। ଆଉ ଏଥିରୁ ଫାଇଦା ନଉଛି ବିଜେପି। ଜିଲ୍ଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଦୁଇଜଣ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ହେବା ପରେ ଅସନ୍ତୋଷ ବଢିଛି । ମୁହାଁମୁହିଁ ହୋଇଛନ୍ତି ଜଗନ୍ନାଥ ସାରକା ଓ ଭାସ୍କର ରାଓ । ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଏମିତିକି ଜିଲ୍ଲା ବିଜେଡି ଅଫିସରେ ଶଙ୍ଖ ଚିହ୍ନକୁ ଲିଭାଇ ଦେଇଛନ୍ତି କିଛି କର୍ମୀ । ଏସବୁ ଭିତରେ ଚର୍ଚ୍ଚା ହେଉଛି ରାୟଗଡା ବିଜେଡିର ଟାଣୁଆ ନେତା ଏନ.ଭାସ୍କର ରାଓ ବିଜେଡି ଛାଡିପାରନ୍ତି। ଅସନ୍ତୁଷ୍ଟ ମାନେ ଏବେ ବିଜେପି ମୁହାଁ। ଠିକ୍ ସେମିତି ଗଞ୍ଜାମରେ ମଧ୍ୟ ବିଜେଡି ଗଡ ଭୁଶୁଡୁଛି। ବିଜେଡିମୁକ୍ତ ଗଞ୍ଜାମର ଆହ୍ବାନ ଦେଇଛନ୍ତି ମନ୍ତ୍ରୀ।

କୋଦଳାରେ ବିଜେପିର ବଡ଼ ମିଶ୍ରଣ ପର୍ବ ହୋଇଛି। ପୌର ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଗଞ୍ଜାମ । କୋଦଳା ମିଶ୍ରଣ ପର୍ବରେ ୩ଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଜେଡି ସମର୍ଥିତ ୨୨ ପଞ୍ଚାୟତର ସରପଞ୍ଚ, ୪ଜଣ ସମିତି ସଭ୍ୟ ଓ ସଭ୍ୟାଙ୍କ ସହ ବହୁ ପୂର୍ବତନ ଲୋକପ୍ରତିନିଧି ବିଜେପିରେ ସାମିଲ ହୋଇଛନ୍ତି। ଯାହା ବିଜେଡି ଦୁର୍ବଳ ହଉଥିବା ସୂଚାଉଛି। ଗଞ୍ଜାମ ଜିଲ୍ଲାରେ୧୩ ବିଧାନସଭା ଆସନରୁ ବିଜେପି ଜିତିଛି ୧୧ ଆସନ । କେବଳ ହିଞ୍ଜିଳିରୁ ନବୀନ ପଟ୍ଟନାୟକ ଓ ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ଜିତିଛନ୍ତି।

ଗଞ୍ଜାମରେ ବିକ୍ରମ ପଣ୍ଡା ଜିଲ୍ଲା ସଭାପତି ହେବା ପରେ, ଦଳରେ କେଁ ପଶିଛି। ବରିଷ୍ଠ ନେତା ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଅସନ୍ତୁଷ୍ଟ ଥିବା ଜଣା ପଡ଼ୁଛି। ବିଜେପି ଶିବିରରେ ଚ୍ୟାଉ ପଟ୍ଟନାୟକଙ୍କ ଉପସ୍ଥିତି କହୁଛି କି ବିଜେପି ଆଡ଼କୁ ଢଳୁଛନ୍ତି ଗଞ୍ଜାମ ରାଜନୀତିର ଏଇ ଟାଣୁଆ ନେତା। ରାଜନୀତି ଗୋଟି ଚାଳନାରେ ସେ ମାହିର। ତେଣୁ ବିଜେଡି ଅସନ୍ତୁଷ୍ଟଙ୍କୁ ଏକାଠି କରି ପୌର ନିର୍ବାଚନ ପୂର୍ବରୁ ବିଜେପି ଶକ୍ତ ହଉଛି। ଆଉ ବିଜେଡି ଦିନକୁ ଦିନ ଦୁର୍ବଳ ହେଉଛି।

Leave a Reply

Your email address will not be published. Required fields are marked *