ପ୍ରତିଶ୍ରୁତି ରଖିଲା ବିଜେପି ସରକାର, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦୁଝରରେ ବୃଦ୍ଧ ଓ ଭିନ୍ନକ୍ଷମ ନାଗରିକଙ୍କ ପାଇଁ ବର୍ଦ୍ଧିତ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ସହ ଭତ୍ତା ବଣ୍ଟନ କରିଛନ୍ତି। ବିଜେପିର ନିର୍ବାଚନୀ ଇସ୍ତାହାରରେ ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ଯୋଜନା ରେ ୮୦ ବର୍ଷ ରୁ ଅଧିକ ବୟସର ନାଗରିକ ଏବଂ ୮୦% କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ୩,୫୦୦ ଟଙ୍କା ପେନସନ ମିଳିବ । ପୂର୍ବରୁ ଏହି ଯୋଜନା ଅଧୀନରେ ମାସିକ ୧୨୦୦ ଟଙ୍କା ପେନସନ୍ ରାଶି ଥିଲା। ରାଜ୍ୟର ସବୁଠାରୁ ଦୁର୍ବଳ ନାଗରିକଙ୍କ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଏହି ବର୍ଦ୍ଧିତ ପେନସନ ଆମର ବୃଦ୍ଧ ଏବଂ ଭିନ୍ନକ୍ଷମ ଜନସଂଖ୍ୟାପାଇଁ ସମ୍ମାନ ଏବଂ ଆର୍ଥିକ ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ । ଆଜି ଆମେ କେନ୍ଦୁଝରରେ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଛୁ। ଖୁବ୍ ଶୀଘ୍ର ଏହି ଯୋଜନା ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ମକର ସଂକ୍ରାନ୍ତି ଏବଂ ପ୍ରୟାଗରାଜରେ ମହାକୁମ୍ଭ ମେଳା ପର୍ବ ଅବସରରେ ଏହା ଏକ ଶୁଭ ସଙ୍କେତ। ମୋହନ ଆହୁରି କହିଛନ୍ତି, ପୂର୍ବ ସରକାର ମାତ୍ର ୧୨୦୦ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଆମେ ପ୍ରତିଶ୍ରୁତି ଅନୁଯାୟୀ ଏହାକୁ ୩୫୦୦ ଟଙ୍କାକୁ ବୃଦ୍ଧି କରିଛୁ। ଏହାଦ୍ୱାରା ସାରା ରାଜ୍ୟରେ ପାଖାପାଖି ୪ ଲକ୍ଷ ଲୋକ ଉପକୃତ ହେବେ। ଓଡ଼ିଶା ସରକାରଙ୍କ ଏହି ସଦ୍ୟତମ ପଦକ୍ଷେପ ପଛୁଆ ସମ୍ପ୍ରଦାୟର ଉନ୍ନତି ପାଇଁ ନିଜର ପ୍ରତିବଦ୍ଧତାକୁ ଦର୍ଶାଉଛି, ଯାହା ଅଭାବୀ ଲୋକଙ୍କ ପାଇଁ ସମାନ ସହାୟତା ଉପଲବ୍ଧ କରାଇବ । ବିଶେଷ କରି ଯେଉଁମାନେ ବୟସ କିମ୍ବା ଅକ୍ଷମତା କାରଣରୁ ଅତିରିକ୍ତ ସହାୟତା ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଜୀବନର ଗୁଣବତ୍ତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଭାରତର ସ୍ୱାଧୀନତା ସଂଗ୍ରାମରେ ସ୍ୱାଧୀନତା ସଂଗ୍ରାମୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେଇ ଓଡ଼ିଶା ସରକାର ସେମାନଙ୍କ ପେନସନରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି କରିଛନ୍ତି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଜେଲରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏବେ ମାସିକ ୨୦ ହଜାର ଟଙ୍କା ମିଳିବ, ଯାହା ପୂର୍ବରୁ ୧୦,୦୦୦ ଟଙ୍କା ଥିଲା । ଯେଉଁମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ କିନ୍ତୁ ଜେଲରେ ନଥିଲେ ସେମାନଙ୍କ ପେନସନ ୯ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *