ନିର୍ବାଚନରେ ବାଲଟ ବ୍ୟବସ୍ଥା ଫେରିଲେ ବିଜେଡି ସମର୍ଥନ କରିବ: ନବୀନ ପଟ୍ଟନାୟକ

ବିଜେଡ଼ି ପାଳୁଛି ୨୮ତମ ପ୍ରତିଷ୍ଠା ଦିବସ । ବିଜେଡିର ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଖୁସି ଯେ ଆଜି ବିଜେଡିକୁ ୨୭ ପୁରି ୨୮ ଚାଲିଲା। ଲୋକଙ୍କ ଠାରୁ ଆମେ ବହୁତ ଶୁଭେଚ୍ଛା ପାଇଛୁ । ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେହିପରି EVM ଚଞ୍ଚକତା ନେଇ ନବୀନ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ପୁଣି ଥରେ ବାଲଟ ବ୍ୟବସ୍ଥା ଫେରିଲେ ବିଜେଡି ଏହାକୁ ସମର୍ଥନ କରିବ ।

ସେ ଆହୁରି କହିଛନ୍ତି ଯେ, ଓଡିଶାର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥ ର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡି ର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କହିଛନ୍ତି।

୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ । କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢି ପାରିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ ମଧ୍ୟ କହୁ ଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡିଶା ବାସୀଙ୍କ ଆଶିର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡିଶା ବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି । ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି ।

ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ର ସଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦୁନିଆରେ ବିଜେଡି ସରକାର ଓଡିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି ।

ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି । ବିପର୍ଯୟ ପରିଚାଳନା ରେ ଆଦର୍ଶ ରାଜ୍ୟ ହୋଇ ପାରିଛି । ପୁଞ୍ଜି ବିନିଯୋଗ ବଢିଛି । ୨୦୦୦ ମସିହାରେ Over Draft ରେ ଚଳୁଥିବା ରାଜ୍ୟ ଆଜି Budget Surplus State ହୋଇପାରିଛି ।

ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡିଶା Sports Capital ର ପରିଚୟ ପାଇଛି।

ଓଡିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀ ମାନଙ୍କ ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି ବୋଲି ପ୍ରକାଶ କରି ଶ୍ରୀ ପଟ୍ଟନାୟକ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *