ସେବେ ସିନା ଦେଲୁ ଏବେ ଆଉ ନୁହେଁ: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ କରିବନି ବିଜେଡି!
ଭୁବନେଶ୍ୱର: ଆଗକୁ ଆସୁଛି ଉପରାଷ୍ଟ୍ରପତି ନିର୍ବାଚନ। ହେଲେ ଏଥର ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବନି ବିଜେଡି।’ ବିଜେଡି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସି ନ ଥିବା ବେଳେ ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା ମହେଶ ସାହୁ। ରାଜ୍ୟରେ ସରକାର ବଦଳିଛି, ବିଜେଡି ଯାଇଛି ଓ ବିଜେପି ଆସିଛି | ଏହାରି ସହ ବଦଳିଛି ବିଜେଡିର ମୁଡ଼ | ଏଣିକି ଆଉ ଏନଡିଏକୁ ସମର୍ଥନ କରିବ ନାହିଁ |
ବାସ୍ତବରେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ। ଏନଡିଏ ଯେଉଁ ଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ, ବିଜେଡି ତାକୁ ସମର୍ଥନ କରିବ ନାହିଁ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ତାକୁ ସମର୍ଥନ କରିଥିଲୁ। ହେଲେ ଏବେ ସେ ପରିସ୍ଥିତି ନାହିଁ |
ଉପରାଷ୍ଟ୍ରପତି ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହେବା ଦିନଠୁ, କଥା ଉଠିଥିଲା ଯେ ବିଜେଡି ଏଥର କାହାକୁ ସମର୍ଥନ କରିବ। ଯଦି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ବିଜେପି ପ୍ରେମ ପଦାରେ ପଡ଼ିବ। ଏହାସହ ଦଳ ଯଦି ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ଜାତୀୟ ରାଜନୀତିରେ ନୂଆ ଏକ ସମୀକରଣ ଦେଖିବାକୁ ମିଳିବ।
ଏହାସହ ଯଦି ବିଜେଡି ସମଦୂରତ୍ୱ ଫର୍ମୁଲାରେ କୌଣସି ବି ପ୍ରାର୍ଥୀଙ୍କୁ ସମର୍ଥନ ନ ଜଣାଏ, ତେବେ ଦିଲ୍ଲୀ ପଲିଟିକ୍ସରେ ଦଳ ନିଜର ଓଜନ ହରାଇବ। ତେଣୁ ଦେଖିବାକୁ ବାକି ରହିଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ କଣ ନିଷ୍ପତ୍ତି ନେଉଛନ୍ତି। ଅନ୍ୟପଟେ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ ମହେଶ ସାହୁଙ୍କ ବୟାନ ବ୍ୟକ୍ତିଗତ ନା ଦଳିୟ ତାକୁ ସ୍ପଷ୍ଟ କରିବା ଉଚିତ। ବିଜେଡି ଯଦି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବ, ଏଥିରୁ ସ୍ପଷ୍ଟ ହେବ ବିଜେଡି ଦୋହରା ନୀତି ଆପଣାଉଛି । ଏହା କଂଗ୍ରେସ ଓ ବିଜେଡି ଭାଇ ଭାଇ ବୋଲି ପ୍ରମାଣିତ ହେବ।
