ବିଜେଡିରେ ବଢୁଛି ଅନ୍ତର୍ଦ୍ୱନ୍ଦ୍ୱ: ବରିଷ୍ଠ ବିଧାୟକ ବଦ୍ରୀ ପାତ୍ରଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ବିଜେଡି ରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ନେଇ ବରିଷ୍ଠ ବିଧାୟକ ବଦ୍ରୀ ପାତ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଦଳର ଶୀର୍ଷ ନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁ ନଥିବାରୁ ତଳସ୍ତରରେ କର୍ମୀମାନେ ଦଳ ଛାଡୁଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ସୁଜାତା କାର୍ତ୍ତିକେୟନଙ୍କ ଦଳରେ ପ୍ରବେଶ ପ୍ରସଙ୍ଗରେ ମଧ୍ୟ ସେ ମତ ରଖିଛନ୍ତି।

ବଦ୍ରୀ ପାତ୍ର କହିଛନ୍ତି ଯେ, ଦଳରେ ଦାୟିତ୍ୱରେ ଥିବା ଲୋକମାନେ ନିଜର ସୀମା ଅତିକ୍ରମ କରୁଥିବାରୁ ଅନ୍ତର୍ଦ୍ୱନ୍ଦ୍ୱ ବଢୁଛି। “ଯେଉଁଥିପାଇଁ ବର୍ତ୍ତମାନ ଦଳ ଭିତରେ ଦ୍ଵନ୍ଦ୍ୱ ବଢୁଛି। ଶୀର୍ଷ ନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁ ନଥିବାରୁ ତଳସ୍ତରରେ କର୍ମୀ ଦଳ ଛାଡ଼ୁଛନ୍ତି,” ବୋଲି ସେ କହିଛନ୍ତି। ଆଗକୁ ବଢିବାକୁ ହେଲେ ଲୋକମାନେ କଣ ଚାହୁଁଛନ୍ତି ତାହା ବୁଝିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। “ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢିବା ହିଁ ହେବ ବୁଦ୍ଧିମାନର କାମ,” ବୋଲି ସେ ଯୋଡିଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ ଦଳରେ ସାମିଲ ହେବା ପ୍ରସଙ୍ଗରେ ବଦ୍ରୀ କହିଛନ୍ତି, “ବିଜେଡି ବଡ଼ ଦଳ। ସୁଜାତା କାର୍ତ୍ତିକେୟନ କଣ ଅନେକ ଲୋକଙ୍କୁ ସାମିଲ କଲେ ବି କିଛି ଅସୁବିଧା ନାହିଁ। କିନ୍ତୁ ସମସ୍ତେ ସମସ୍ତଙ୍କ ସୀମା କଣ ତାହା ଜାଣିବା ଦରକାର।” ସେ ଆହୁରି କହିଛନ୍ତି ଯେ, ଦଳ ବଡ଼ ହେଲେ ବିବାଦ ବଢିପାରେ, କିନ୍ତୁ ପ୍ରତ୍ୟେକର ସୀମା ଜାଣିବା ଆବଶ୍ୟକ। “ମୋର ଦାୟିତ୍ୱ ସେତିକି ବୁଝିଲେ ସବୁ ଠିକ ହେବ। ଆଉ ଯଦି ସୀମା ଟପିବା ତାହାଲେ ଦ୍ଵନ୍ଦ୍ୱ ବଢିବ।”
ବଦ୍ରୀ ପାତ୍ରଙ୍କ ବୟାନରେ “ଆଇଆମ ଡ଼ାଉନ ବଟ ନଟ ଆଉଟ” ବାକ୍ୟର ଅର୍ଥ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସେ କହିଛନ୍ତି, “ଆଇଆମ ଡ଼ାଉନ ବଟ ନଟ ଆଉଟର ଅର୍ଥ କଣ ମୁଁ ଜାଣେନି। ତାର ଅର୍ଥ କଣ ଯିଏ କହିଛନ୍ତି ସେ ବୁଝିଥିବେ, ଯାହାକୁ କହିଛନ୍ତି ସେ ବୁଝି ଥିବେ।”

2024 ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ବଦ୍ରୀ କହିଛନ୍ତି ଯେ, ଦଳର ମଙ୍ଗୁଆଳ ସୀମା ଲଙ୍ଘନ କରିବାରୁ ଏହି ବିପର୍ଯ୍ୟୟ ଘଟିଛି। “କିଛି ଲୋକଙ୍କ ମତ ଅନୁକୂଳ ହେଲାନି। ତଳ ସ୍ତରରେ ଗ୍ରହଣୀୟ ହେଲାନି। ଲୋକ ଯେମିତି ଚାହୁଁଥିଲେ ସେମିତି ହେଲାନି। ଯାହା ଫଳରେ ଲୋକ ଓଲଟେଇ ଦେଲେ,” ବୋଲି ସେ କହିଛନ୍ତି। ଲୋକମାନେ ହେଉଛନ୍ତି ଅଲଟିମେଟ ଜଜ୍ ବୋଲି ସେ ମତ ଦେଇଛନ୍ତି। ଭୋଟରମାନଙ୍କ ମତାମତ ଅନୁସାରେ ଦଳରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି।

ବର୍ତ୍ତମାନ ବିଜେଡିରେ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳର ଶୀର୍ଷ ନେତୃତ୍ୱ ଏହାର ପ୍ରତିକ୍ରିୟା ଦେବାକୁ ଅପେକ୍ଷା କରାଯାଉଛି। ଏହି ଘଟଣା ଦଳର ଭବିଷ୍ୟତ ରାଜନୈତିକ ରଣନୀତିକୁ ପ୍ରଭାବିତ କରିପାରେ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *