ବିଜେଡି ବିଜେପିରୁ ଅଲଗା ନୁହେଁ: ଭକ୍ତ
ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ଆଜି ବିଜେଡି ଭାଗ ନେଉ ନାହିଁ। ଦଳର ୭ ରାଜ୍ୟସଭା ସାଂସଦ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁନାହାଁନ୍ତି । ଏନ୍ଡିଏ ଓ ୟୁପିଏ ଠାରୁ ସମଦୂରତାର ଦ୍ବାହି ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି।
ବିଜେପିକୁ କୌଣସି ପରିସ୍ଥିତିରେ ଅସନ୍ତୁଷ୍ଟ କରିବାକୁ ନବୀନ ଚାହୁ ନାହାନ୍ତି, ତାହା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦଳ ଭିତରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଜିତିବାରେ ଅସୁବିଧା ନାହିଁ। ସଂଖ୍ୟା ଗଣିତରେ ଏନ୍ଡିଏ ଆଗରେ ଅଛି। ତଥାପି ବିଜେଡି ଆଭିମୁଖ୍ୟ ଉପରେ ରାଜନୈତିକ ମହଲର ନଜର ଥିଲା। କାରଣ କ୍ଷମତାଚ୍ୟୁତ ହେଲା ପରେ ବିଜେଡି ନିଷ୍ପତ୍ତି ନେବା ସହଜ ହେଉନାହିଁ।
ସବୁଥିରେ ଦ୍ବନ୍ଦ ବାରି ହୋଇପଡ଼ୁଛି। ବିଜେଡିର ଏଭଳି ନିଷ୍ପତ୍ତିକୁ ନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟଦାନ ପ୍ରକ୍ରିୟାରୁ ବିରତ ରହିବା ଦ୍ୱାରା ବିଜେପି ଏହାର ଫାଇଦା ନେବ। ଭୋଟଦାନରୁ ବିରତ ରହିବାର ଅର୍ଥ ବିଜେଡି ବିଜେପିରୁ ଅଲଗା ନୁହେଁ ବୋଲି ସ୍ପଷ୍ଟ ହୋଇଯିବ।
ବିରୋଧୀ ଦଳଭାବେ ବିଜେଡିକୁ ବିଜେପି ବିରୋଧରେ ଏକ ରାଜନୈତିକ ନିଷ୍ପତ୍ତି ନେବାକୁ ପଡ଼ିବ। ସମ ଦୂରତା କଥା କହି କହି ବିଜେଡି ସରକାରରୁ ଚାଲିଗଲା। ବିଜେଡିର ଜଣେ ହେଲେ ସାଂସଦ ଜିତି ପାରିଲେ ନାହିଁ। ଆଉ କେତେଦିନ ଧରି ଏଭଳି ସମଭାବାପନ୍ନ କଥା ବିଜେଡି କହିବ ବୋଲି ସେ ପ୍ରଶ୍ନ କରିଛନ୍ତି।
