ନ୍ୟାୟ ଦାବିରେ ୬ ଘଣ୍ଟିଆ ରାସ୍ତାବନ୍ଦକଲା ବିଜେଡି

ପୁରୀ: ପୁରୀ ଜିଲ୍ଲାର ବଳଙ୍ଗା ମାମଲାରେ ପୀଡିତାଙ୍କୁ ହୋଇଥିବା ଅନ୍ୟାୟର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ଦ୍ୱାରା ଡକରା ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ସଫଳତାର ସହ ସମାପ୍ତ ହୋଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବନ୍ଦ ଅବସରରେ ବିଜେଡି କର୍ମୀମାନେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଥିଲେ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରି ବିଜେଡି କର୍ମୀମାନେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ, ବିଶେଷ କରି ପିପିଲି ଓ ନିମାପଡ଼ା ଅଞ୍ଚଳରେ, ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲେ। ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥିଙ୍କ ନେତୃତ୍ୱରେ ପିପିଲିରେ ବିଜେଡି କର୍ମୀ ଓ ସମର୍ଥକମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଏବଂ ବଜାର ଅବରୋଧ କରିଥିଲେ। ପିପିଲି ପୌରପାଳିକା ଅଧ୍ୟକ୍ଷ ଶେଖ୍ ବାବୁ, ଜିଲ୍ଲା ପରିଷଦ ସଦସ୍ୟ ଧରଣୀଧର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ନନ୍ଦ ପ୍ରମୁଖ ନେତାମାନେ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। ବିକ୍ଷୋଭକାରୀମାନେ ପିପିଲି ଟୋଲ୍ ପ୍ଲାଜା ଛକ, ଉତ୍ତରା ଛକ, ମଙ୍ଗଳପୁର ବଜାର ଏବଂ ସାତଶଙ୍ଖ ବଜାର ସମେତ ପ୍ରମୁଖ ସ୍ଥାନଗୁଡ଼ିକୁ ଟାୟାର ଜାଳି ଅବରୋଧ କରିଥିଲେ।

ନିମାପଡ଼ା ଅଞ୍ଚଳରେ ମଧ୍ୟ ବନ୍ଦ ଦେଖିବାକୁ ମିଳିଥିଲା। ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ନେତୃତ୍ୱରେ ନିମାପଡ଼ା, ବଳଙ୍ଗା, ହରିପୁର, ରଟିଲ ଧନୁଆ, ବାମନାଳ ଆଦି ବିଭିନ୍ନ ଛକରେ ଶାନ୍ତିପୂର୍ଣ୍ଣ ରାସ୍ତା ଅବରୋଧ କରାଯାଇଥିଲା। ଏହି ବିକ୍ଷୋଭରେ ଗଙ୍ଗାଧର ଜେନା, ମାନସ ପ୍ରଧାନ, ଦିଲ୍ଲୀପ ପାତ୍ର, ସମିତି ସଭ୍ୟ ସୁନିଲ୍ ରଥ, ସତ୍ୟବାଦୀ ମହାପାତ୍ର, ସୁଭଦ ଛାଟୋଇ, ସରପଞ୍ଚ ରାକେଶ କୁମାର ବାରିକ, ଦିପକ ଦାଶ, ସନ୍ତୋଷ ରଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଏହି ୬ ଘଣ୍ଟିଆ ବନ୍ଦ ଯୋଗୁଁ ପୁରୀର ଦୈନନ୍ଦିନ ଜୀବନ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥିଲା। ବଡ଼ ଦାଣ୍ଡରେ ଦୋକାନ, ବଜାର, କାର୍ଯ୍ୟାଳୟ ଏବଂ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ବାଲେଶ୍ୱରର ଏଫ୍‌ଏମ୍ କଲେଜ ମାମଲା ପରି ଶାସକ ଦଳର ଚାପରେ ବଳଙ୍ଗା ପୀଡିତାଙ୍କ ପରିବାରକୁ ସେମାନଙ୍କ ବୟାନ ବଦଳାଇବାକୁ ବାଧ୍ୟ କରାଯାଇଛି। ଏହି ଅଭିଯୋଗକୁ ନେଇ ବିଜେଡି ସରକାରଙ୍କ ବିରୋଧରେ ତୀବ୍ର ପ୍ରତିବାଦ ଜାରି ରଖିବ ବୋଲି ଘୋଷଣା କରିଛି।

Leave a Reply

Your email address will not be published. Required fields are marked *