କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଗୁରୁତର ଅଭିଯୋଗ
ଭୁବନେଶ୍ୱର: ରାଜନୈତିକ କାର୍ଯ୍ୟକଳାପ ଓ ଦଳୀୟ ବିଶୃଙ୍ଖଳା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଯେ, ଅମରେଶ ଜେନା ତାଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଏବଂ ଗର୍ଭନଷ୍ଟ କରାଇଥିବା ସହ ହତ୍ୟା ଧମକ ଦେଇଛନ୍ତି। ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ କେସ୍ ନଂ-୩୯୪ରେ ବିଏନ୍ଏସ୍ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି। ପୁଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମଇନା କରାଇବା ସହ ବିଏସ୍ଏସ୍ଏସ୍ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ କରିଛି।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ୨୦୨୩ ମସିହାରେ ଯେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା, ସେ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ କର୍ପୋରେଟର ଅମରେଶ ଜେନାଙ୍କ ସହ ପରିଚିତ ହୋଇଥିଲେ। ପରିଚୟ ହେବ ପରେ ଅମରେଶ ତାଙ୍କୁ ଏକ ଫୋନ ଉପହାର ଦେଇଥିଲେ। କିଛି ଦିନ କଥାବାର୍ତ୍ତା ପରେ ଅମରେଶ ତାଙ୍କୁ ପ୍ରେମ ନିବେଦନ କରିଥିଲେ, ଏବଂ ବାରମ୍ବାର ପ୍ରସ୍ତାବ ଦେବାରୁ ଯୁବତୀ ରାଜି ହୋଇଥିଲେ।
ଏହାପରେ ଅମରେଶ ତାଙ୍କୁ ପୁରୀ ନେଇ ଜଣେ ସାଙ୍ଗଙ୍କ ଘରେ ରଖି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏହା ପରେ ଉଭୟେ ବିଭିନ୍ନ ସମୟରେ ବୁଲାବୁଲି କରି ସମ୍ପର୍କ ଜାରି ରଖିଥିଲେ। ୨୦୨୪ ମସିହା ଫେବୃୟାରୀ ରେ ଯୁବତୀ ଦୁଇ ମାସର ଗର୍ଭବତୀ ଥିବା ଜଣାଇବା ପରେ, ଅମରେଶ ତାଙ୍କୁ ଗର୍ଭନଷ୍ଟ କରିବାକୁ ବାଧ୍ୟ କରିଥିଲେ। ସେ କହିଥିଲେ ଯେ, ତାଙ୍କ ପତ୍ନୀଙ୍କ ସହ ସମ୍ପର୍କ ଭଲ ନାହିଁ ଏବଂ କିଛି ମାସ ମଧ୍ୟରେ ଛାଡ଼ପତ୍ର ଦେଇ ଯୁବତୀଙ୍କୁ ବିବାହ କରିବେ। ଏହି ପ୍ରତିଶୃତିରେ ଯୁବତୀ ଗର୍ଭନଷ୍ଟ କରିଥିଲେ। ଗର୍ଭନଷ୍ଟ ପରେ ମଧ୍ୟ ଉଭୟେ ପୂର୍ବଭଳି ସମ୍ପର୍କ ଜାରି ରଖିଥିଲେ।
କିନ୍ତୁ ୨୦୨୪ ମସିହା ଏପ୍ରିଲ୍ରେ ଅମରେଶ ଯୁବତୀଙ୍କୁ ନିଜ କାରରେ ନେଇ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ ଏବଂ ଦୂରେଇ ରହିବାକୁ କହିଥିଲେ। ସେ ଧମକ ଦେଇଥିଲେ ଯେ, ଏହି ସମ୍ପର୍କ ବା ଘଟଣା ବିଷୟରେ କାହାକୁ କହିଲେ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏହାକୁ ନେଇ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଅମରେଶ ଜେନାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ କର୍ପୋରେଟର୍ ଶ୍ରୀ ଜେନା କହିଛନ୍ତି ଯେ ମୋ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ମୁଁ ସେ ଝିଅକୁ ଜାଣିନାହିଁ | ଏହା ମୋ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର। ଯଦି ତଦନ୍ତରେ ପୁଲିସ ମୋର ସେଭଳି କିଛି ସମ୍ପୃକ୍ତି ପାଏ, ତେବେ ମୋତେ ଗିରଫ କରୁ ବୋଲି ଶ୍ରୀ ଜେନା କହିଛନ୍ତି |
