ଗିରଫ ହେଲେ ବିଜେଡି କର୍ପୋରେଟର୍‌ ଅମରେଶ ଜେନା

ଭୁବନେଶ୍ୱର: ଅବଶେଷରେ ବିଜେଡି କର୍ପୋରେଟର୍‌ ଅମରେଶ ଜେନାଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ୍। ତାଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଗତକାଲି ତାଙ୍କୁ ଫେରାର ହେବା‌ରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲା।

କର୍ପୋରେଟର ଅମରେଶ ଜେନାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ୫ ଜଣ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ୱାଇଁ (୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି (୪୨), ଚିନ୍ତାମଣିଶ୍ୱର ଅଞ୍ଚଳର ଦେବେନ୍ଦ୍ର ଭୋଳ (୪୫), ସୁମନ କୁମାର ସାହୁ (୨୭) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତି (୪୫)।

ସୂଚନା ଅନୁସାରେ, ଗତ ଗୁରୁବାର ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନାଙ୍କ ବିରୁଦ୍ଧରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ଭ୍ରୂଣହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଅମରେଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା, କିନ୍ତୁ ଅମରେଶ ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରି କିଛି ସହଯୋଗୀଙ୍କ ସହ ତାଙ୍କ କଥାବାର୍ତ୍ତା ହୋଇଥିବା ଜାଣିବାକୁ ପାଇଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯିବାରୁ ସେମାନେ ଅମରେଶଙ୍କୁ ଫେରାର ହେବାରେ ସହଯୋଗ କରିଥିବା ସ୍ୱୀକାର କରିଥିଲେ। ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଅନ୍ୟପକ୍ଷରେ, ପୀଡ଼ିତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ଭିଡିଓରେ କହିଛନ୍ତି ଯେ ପୁଲିସ ତାଙ୍କ ଉପରେ ମାମଲା ଉଠାଇବାକୁ ଚାପ ପକାଉଛି। ଅମରେଶଙ୍କୁ ପୁଲିସ କାହିଁକି ଗିରଫ କରୁନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି, ନହେଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *