ପୋଲିସ୍ ମନୋବଳକୁ ନେଇ ପରସ୍ପର ଉପରେ ଦୋଷ ଲଦିଲେ ବିଜେପି-ବିଜେଡି
ଭୁବନେଶ୍ୱର: ଓଡ଼ିଶାରେ ପୋଲିସ୍ ମନୋବଳ ଭାଙ୍ଗିବା ଏବଂ ନାରୀ ନିର୍ଯ୍ୟାତନା ବଢ଼ିବା ପ୍ରସଙ୍ଗକୁ ନେଇ ରାଜନୀତି ଉତ୍ତପ୍ତ ହୋଇଉଠିଛି। ବିରୋଧୀ ବିଜୁ ଜନତା ଦଳ (ବିଜେଡି)ର ପ୍ରତିକ୍ରିୟାର ଜବାବରେ ଶାସକ ବିଜେପି କଡ଼ା ପ୍ରତ୍ୟୁତ୍ତର ଦେଇଛି। ଉଭୟ ପାର୍ଟି ପରସ୍ପରକୁ ଅଭିଯୋଗ କରି ପୂର୍ବତନ ଏବଂ ବର୍ତ୍ତମାନର ସରକାରର ନୀତିକୁ ଟାର୍ଗେଟ୍ କରିଛନ୍ତି।
ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ଗତ ୨୪ ବର୍ଷର ଶାସନକାଳରେ ପୋଲିସର ମନୋବଳ ଭାଙ୍ଗିବା ପାଇଁ କିଛି ବାକି ରଖି ନ ଥିଲା। ସେମାନେ ପୋଲିସକୁ ରାଜନୈତିକ କାର୍ଯ୍ୟରେ ବ୍ୟବହାର କରୁଥିଲେ, ଏପରିକି ଆଇପିଏସ୍ ଅଫିସରମାନଙ୍କୁ ଟିକେଟ୍ ବାଣ୍ଟିବା ଭଳି ନଜିର ରହିଛି।
ନେତାଙ୍କୁ ଉଠାଇନେବା, ଧମକାଇବା ଭଳି ଘଟଣା ଘଟୁଥିଲା। ସେ ଉଦାହରଣ ଦେଇ କହିଛନ୍ତି, ନବ ଦାସଙ୍କ ହତ୍ୟା ଘଟଣାରେ ଗୋପାଳ ଦୋଷୀ ଥିବା ସତ୍ତ୍ୱେ ସେତେବେଳର ସରକାର କଣ କରିଥିଲା? ମମିତା ମେହେର ଏବଂ ସ୍ମିତା ବିଶ୍ୱାଳ ଘଟଣାରେ ବିଜେଡି ନେତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ଥିଲା, କିନ୍ତୁ ପୋଲିସ୍ ତଦନ୍ତରେ ବାଟବଣା ହୋଇଥିଲା ଏବଂ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନ ଥିଲା। ବିଜେପି ସରକାରରେ ଏଥିରେ ସୁଧାର ଆସିଛି ଏବଂ ଆଗକୁ ଆହୁରି ସୁଧୁରିବ। ଯିଏ ମନମାନି କରିବ, ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଜେଡି ସରକାରର ଅରାଜକତା ପୁନରାବୃତ୍ତି ହେବ ନାହିଁ।
ଅନ୍ୟପକ୍ଷରେ ବିଜେଡି ବିଧାୟକ ଧ୍ରୁବ ସାହୁ ବିଜେପି ସରକାରକୁ କଟାକ୍ଷ କରି କହିଛନ୍ତି ଯେ, ବିଜେପି ଶାସନରେ ପୋଲିସର ମନୋବଳ ଭାଙ୍ଗି ଯାଇଛି, ଯାହାଫଳରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢ଼ୁଛି। ସେ ଉଦାହରଣ ଦେଇ କହିଛନ୍ତି, ପଟାମୁଣ୍ଡାଇ ଘଟଣାରେ ଝିଅର ବାପା ୬ ମାସ ପୂର୍ବରୁ ଏଫ୍ଆଇଆର୍ ଦେବାକୁ ଯାଇଥିଲେ, କିନ୍ତୁ ପୋଲିସ୍ ଏଫ୍ଆଇଆର୍ ନ ରଖି ନମ୍ବର୍ ବ୍ଲକ୍ କରିବାକୁ ଏବଂ ଅଶ୍ଳୀଳ ଫଟୋ ଡିଲିଟ୍ କରିବାକୁ କହିଥିଲା। ଏହି ଅବହେଳା ଯୋଗୁଁ ଝିଅର ଜୀବନ ଯାଇଥିଲା।
ସପ୍ତାହେ ପରେ ବି ପୋଲିସ୍ର ହାତ ଖାଲି ରହିଛି। ବଳଙ୍ଗା ଘଟଣାରେ ପୋଲିସ୍ ଆତ୍ମହତ୍ୟା ଥିଓରୀ ଆଣିଥିଲା ଏବଂ ବାଲେଶ୍ୱରରେ ଏବିଭିପି ଝିଅର ମୃତ୍ୟୁ ଘଟଣାରେ ତଦନ୍ତକାରୀ ଆଇଜିପିଙ୍କୁ ସରକାର ବାହାର କରି ଦେଇଥିଲା। ସରକାର ପୋଲିସ୍ ଉପରେ ଅଦୃଶ୍ୟ ଚାପ ପକାଉଛନ୍ତି ଯାହାଦ୍ୱାରା ତଦନ୍ତ ବାଟବଣା ହୋଇ ରାଜନୈତିକ ଲାଭ ନେବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ହାନି ହୋଇଛି।
