ବଳଙ୍ଗା ପୀଡିତାଙ୍କ ମୃତ୍ୟୁ: ଦୋଷୀକୁ ଆମ ଶାସନ ବ୍ୟବସ୍ଥା ଧରି ପାରିଲା ନାହିଁ କହିଲେ ଭକ୍ତ
ଭୁବନେଶ୍ବର: ପୁରୀର ବଳଙ୍ଗା ନାବାଳିକା ପୀଡ଼ିତା ଆଉ ନାହାନ୍ତି। ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି। ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରମାନେ ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଏହାକୁ ନେଇ ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ କଡା ଟାର୍ଗେଟ କରିଛନ୍ତି | ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଏଭଳି ଘଟଣାରେ ସଂପୃକ୍ତ ଦୋଷୀକୁ କାହିଁକି ଧରାଯାଇନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଛି। ଏତେ ଚର୍ଚ୍ଚା ହେଲା। ଅଥଚ ଆଜି ପର୍ଯ୍ୟନ୍ତ ଦୋଷୀକୁ ଆମ ଶାସନ ବ୍ୟବସ୍ଥା ଧରି ପାରିଲା ନାହିଁ। ଗୃହ ବିଭାଗ କିଭଳି ପରିଚାଳିତ ହେଉଛି ସେଥିରୁ ସ୍ପଷ୍ଟ ଜଣାପଡୁଛି। ପିସିସି ସଭାପତି ପୁନର୍ବାର ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଘଟଣାକୁ ମନେ ପକାଇଛନ୍ତି। ପେଟ୍ରୋଲ କିଏ ଆଣିଲା? କିଏ ଉପସ୍ଥିତ ଥିଲେ? ତାହା କଣ ସରକାର ଜାଣି ପାରୁନାହାନ୍ତି କି? ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟପନ୍ଥାକୁ ନେଇ ସନ୍ଦେହ ହେଉଛିି। ବଳଙ୍ଗା ଘଟଣାରେ ମୁଖ୍ୟମନ୍ତ୍ରୀ କେବଳ ଶୋକବାର୍ତ୍ତା ନଦେଇ ବଳଙ୍ଗା ଅପରାଧୀମାନଙ୍କୁ ଧରି ପୀଡିତାଙ୍କୁ ନ୍ୟାୟ ଦିଅନ୍ତୁ।
କଂଗ୍ରେସ ୭ଦିନ ଭିତରେ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦେବାକୁ ଆହ୍ୱାନ ଦେଉଛି। ଯଦି ୭ ଦିନ ଭିତରେ ଧରି ପାରିବେ ନାହିଁ ଆମେ ଧରିନେବୁ ପ୍ରଶାସନ ନିଜେ ଅପରାଧୀ। ୭ ଦିନ ପରେ କଂଗ୍ରେସ ପକ୍ଷରୁ ଡିଜିପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ତା ସହ ପୁଲିସକୁ ଦୁର୍ବଳ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଗଣମାଧ୍ୟମ ଆଗରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, ନୂଆ ସରକାର ଆସିଲା ପରେ ଓଡ଼ିଶାର ଜନସାଧାରଣଙ୍କୁ ଆଶ୍ବସ୍ତିଲାଭ କରିଥିଲେ। ବିଜେପି ମଧ୍ୟ ଯେତେବେଳେ ସରକାରକୁ ଆସିଥିଲା, ଲୋକାଭିମୁଖି ଶାସନ ଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲା। ମହିଳାଙ୍କୁ ସୁରକ୍ଷା ଦେଇ ନୂଆ ଉଦାହରଣ ସୃଷ୍ଟି କରିବୁ ବୋଲି କହିଥିଲା। ନାରୀ ସୁରକ୍ଷା ମାମଲାରେ ବର୍ତ୍ତମାନ ରାଜ୍ୟର ସ୍ଥିତି ଭଲ ନାହିଁ ବୋଲି ସେ କହିଛନ୍ତି।
