ବିହାରରେ ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ହାଇଆଲର୍ଟ ଜାରି
ପାଟନା: ବିହାରରେ ଆସନ୍ତା ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଦେଖାଦେଇଛି। ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ତିନିଜଣ ଆତଙ୍କୀ ନେପାଳ ସୀମା ଦେଇ ବିହାରରେ ପ୍ରବେଶ କରିଥିବା ଜଣାପଡ଼ିଛି। ଏହି ସୂଚନା ଆଧାରରେ ବିହାର ପୁଲିସ ସାରା ରାଜ୍ୟରେ ହାଇଆଲର୍ଟ ଜାରି କରିଛି।ଗୁଇନ୍ଦା ବିଭାଗ ସୂଚନା ଦେଇଛି ଯେ, ପାକିସ୍ତାନରୁ ଆସିଥିବା ଏହି ତିନି ଆତଙ୍କୀ ହେଲେ ରାୱଲପିଣ୍ଡିର ହସନାନ ଅଲ୍ଲୀ, ଉମେରକୋଟର ଆଦିଲ ହୁସେନ ଏବଂ ବାହାୱଲପୁରର ମହମ୍ମଦ ଉସମାନ। ଏହି ଆତଙ୍କୀମାନେ ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହରେ ନେପାଳର କାଠମାଣ୍ଡୁରେ ପହଞ୍ଚିଥିଲେ ଏବଂ ଗତ ସପ୍ତାହରେ ବିହାରରେ ପ୍ରବେଶ କରିଥିବା ସୂଚନା ମିଳିଛି। ବିହାର ପୁଲିସ ଏହି ତିନି ଆତଙ୍କୀଙ୍କ ଫଟୋ ଜାରି କରିବା ସହ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। ଗୁଇନ୍ଦା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, କୌଣସି ସନ୍ଦେହଜନକ ଗତିବିଧି ଦେଖାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏହାସହ ବିହାରର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ଓ ପୁଲିସ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ରହିଛି। ସାଧାରଣ ଜନତାଙ୍କୁ କୌଣସି ସନ୍ଦେହଜନକ ବ୍ୟକ୍ତି ବା ଗତିବିଧି ଦେଖିଲେ ନିକଟସ୍ଥ ପୁଲିସ ଷ୍ଟେସନରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି।
