ଚାମ୍ପିଅନ୍ସ ଟ୍ରଫି : ପାକିସ୍ତାନ୍ ବିପକ୍ଷ ମ୍ୟାଚରେ ଭାରତକୁ ବଡ ବିଜୟ ।

ଟିମ୍ ଇଣ୍ଡିଆର ବଡ ବିଜୟ । ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ପାକିସ୍ତାନ୍ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି ।
ଗତକାଲି ଦୁବାଇରେ ଦେଖିବାକୁ ମିଳିଥିଲା ଦମଦାର ମ୍ୟାଚ୍ । କୋହଲିଙ୍କ ଉପରେ ଦର୍ଶକଙ୍କ ଯେଉଁ ଆଶା ରହିଥିଲା, ତାହା କରିଦେଖାଇଛନ୍ତି କିଙ୍ଗ୍ କୋହଲି । ଧାର‌୍ୟ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ୫୧ତମ ବିରାଟ ଶତକ ସହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରିଥିଲା।

ଚାମ୍ପିଅନ୍ସ ଟ୍ରଫିର ଏହି ହାଇଭୋଲଟେଜ୍ ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ବୋଲିଂ କରିଥିଲା । ପାକିସ୍ତାନ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଥିଲା । ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଥିଲା ।
ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ । ସେହିପରି ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍ କରିଥିଲେ ।

ସେହିପରି, ପାକିସ୍ତାନ ପକ୍ଷରୁ ସୌଦ ସକିଲ୍ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ । ସେହିପରି ଇମାମ ଉଲ୍ ହକ୍ ୧୦ ରନ୍, ବାବର ଆଜମ୍ ୨୩, ସଲମାନ ଆଘା ୧୯ ରନ୍, ଖୁସଦିଲ ସାହା ୩୮ ରନ୍, ନସିମ ସାହା ୧୪ ରନ୍ କରିଥିଲେ । ପାକିସ୍ତାନ ଇନିଂସର ପ୍ରଥମ ଛକା ୪୨ତମ ଓଭରରେ ଲାଗିଥିଲା ।

Leave a Reply

Your email address will not be published. Required fields are marked *