ମହିଳା ଓ ଶିଶୁ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ: ପ୍ରତି ପଞ୍ଚାୟତରେ ପାରା ଲିଗାଲ ଭଲ୍ୟୁଣ୍ଟିୟର ନିଯୁକ୍ତି

ଭୁବନେଶ୍ୱର: ମହିଳା ଓ ଶିଶୁଙ୍କୁ ନ୍ୟାୟ ଓ ସୁରକ୍ଷା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଏକ ନୂତନ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟର ପ୍ରତି ପଞ୍ଚାୟତରେ ପାରା ଲିଗାଲ ଭଲ୍ୟୁଣ୍ଟିୟର ନିଯୁକ୍ତ କରାଯିବ, ଯେଉଁମାନେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଅପରାଧରେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ଆଇନି ସହାୟତା ପ୍ରଦାନ କରିବେ।
ଏହି ଯୋଜନା ସମ୍ପର୍କରେ ଆଲୋଚନା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆଇନ ବିଭାଗ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜ୍ୟ ଲିଗାଲ ସର୍ଭିସ ଅଥରିଟିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଗାଁରେ ରହୁଥିବା ସାଧାରଣ ଏବଂ ଜନଜାତି ପରିବାରର ମହିଳାମାନଙ୍କୁ ସେମାନଙ୍କ ଆଇନି ଅଧିକାର ସମ୍ପର୍କରେ ସଚେତନ କରାଇବା ଏବଂ ସେମାନଙ୍କୁ ନ୍ୟାୟ ପାଇବାରେ ସହାୟତା କରିବା। ଏଥିରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମଧ୍ୟ ସାମିଲ କରାଯିବ, ଯେଉଁମାନେ ଗାଁ ଗହଳିରେ ସଚେତନତା ବୃଦ୍ଧି କରିବେ। ଯଦି କୌଣସି ମହିଳା ଘରୋଇ ହିଂସା, ନିର୍ଯାତନା କିମ୍ବା ଅନ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ପାରା ଲିଗାଲ ଭଲ୍ୟୁଣ୍ଟିୟରଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ଏହି ଭଲ୍ୟୁଣ୍ଟିୟରମାନେ ପୀଡ଼ିତାଙ୍କୁ ଆଇନି ପରାମର୍ଶ ଓ ସହାୟତା ପ୍ରଦାନ କରି ମାମଲାକୁ ଥାନା ଏବଂ ଆବଶ୍ୟକ ହେଲେ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିବେ।

ଆଗାମୀ ଦିନରେ ଏହି ଯୋଜନାକୁ ଆହୁରି ବିସ୍ତୃତ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ଏବଂ ଏସସି-ଏସଟି ବିକାଶ ବିଭାଗକୁ ମଧ୍ୟ ସାମିଲ କରାଯିବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଏହି ଉଦ୍ୟମ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରାଯିବ। ଏହା ସମାଜରେ ମହିଳାଙ୍କ ସ୍ଥିତିକୁ ଆହୁରି ସୁଦୃଢ଼ କରିବ।”

ଏହି ପଦକ୍ଷେପକୁ ସାଧାରଣ ଜନତା ସ୍ୱାଗତ କରିଥିବା ବେଳେ ଏହା ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ଦିଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *