ରାଜ୍ୟରେ ବଡ଼ ଘୋଷଣା: ୧୬ଟି ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲିଟି ଗଠନ,ସହରୀ ବିକାଶକୁ ନେଇ ବଡ଼ ପଦକ୍ଷେପ
ଭୁବନେଶ୍ୱର: ସ୍ବାୟତ ଶାସନ ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସ୍ଥାନୀୟ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ୧୬ଟି ନୂଆ ନୋଟିଫାଏଡ୍ ଏରିଆ କାଉନସିଲ୍ (ଏନଏସି) ଏବଂ ୭ଟି ନୂଆ ମ୍ୟୁନିସିପାଲିଟି ଗଠନ କରାଯାଇଛି। ଏହି ପଦକ୍ଷେପ ରାଜ୍ୟର ସ୍ଥାନୀୟ ସ୍ବାୟତ ଶାସନ ବ୍ୟବସ୍ଥାକୁ ମଜବୁତ କରିବା ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।
ନୂଆ ମ୍ୟୁନିସିପାଲିଟି ମଧ୍ୟରେ କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପୋଲସୁରା ଅନ୍ୟତମ। ଏହା ସହିତ ୧୬ଟି ନୂଆ ଏନଏସି ଗଠନ କରାଯାଇଛି, ଯେଉଁଥିରେ ବଲାଙ୍ଗୀରର ଲୋଇସିଂହା, ବରଗଡ଼ର ସୋହେଲା, କଟକର ନରସିଂହପୁର, ସାଲେପୁର ଓ ବଡ଼ମ୍ବା, ଗଞ୍ଜାମର ଜଗନ୍ନାଥପ୍ରସାଦ ଓ ପାତ୍ରପୁର, ଢେଙ୍କାନାଳର ଗନ୍ଦିଆ, ଯାଜପୁରର ଚଣ୍ଡିଖୋଲ, କଳାହାଣ୍ଡିର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, କୋରାପୁଟର ବୋରିଗୁମ୍ମା, ଏବଂ ମୟୂରଭଞ୍ଜର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର ଅନ୍ତର୍ଭୁକ୍ତ।
ଏହି ନୂଆ ସହରାଞ୍ଚଳ ଗଠନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବ ଏବଂ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେବ। ଏହା ସହ ଏହି ଅଞ୍ଚଳଗୁଡ଼ିକରେ ଅବକାଶ ଗଠନ, ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ଆଦିରେ ଉନ୍ନତି ହେବ ବୋଲି ଆଶା କରାଯାଉଛି। ଏହି ଘୋଷଣା ରାଜ୍ୟର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ପାଲଟିବ ବୋଲି ବିଶ୍ୱାସ କରାଯାଉଛି।
