ଭୁବନେଶ୍ୱର ପାଇଁ ମେଟ୍ରୋ ଆବଶ୍ୟକ, ରିଙ୍ଗ୍ ରୋଡ଼କୁ ମିଳିଲା ଅନୁମୋଦନ: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି। ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଛୁକ ଅଛନ୍ତି। ପୂର୍ବ ମେଟ୍ରୋ ପ୍ରକଳ୍ପ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜୁଥିଲା, ଫଳରେ ଯାତାୟାତ ନେଇ ସମସ୍ୟା ଦେଖା ଦେଇଥିଲା। ଟେଷ୍ଟିଙ୍ଗ୍ ସମୟରେ ଏଭଳି ସମସ୍ୟା ହେବା ଦ୍ୱାରା ସ୍ଥିତି ଜଟିଳ ହୋଇପାରିଥାନ୍ତା।
ଯାତାୟାତକୁ ଅଧିକ ସୁବିଧାଜନକ କରିବା ପାଇଁ ନିକଟରେ, କ୍ୟାବିନେଟରେ ରିଙ୍ଗ୍ ରୋଡ୍କୁ ଅନୁମୋଦନ ମିଳିଛି। ଏହି ରିଙ୍ଗ୍ ରୋଡ୍ ଖୋର୍ଦ୍ଧାରୁ ଆରମ୍ଭ ହୋଇ ଭୁବନେଶ୍ୱର, କଟକ ଦେଇ ଟାଙ୍ଗୀରେ ଶେଷ ହେବ। ଏହି ୬ ଲେନ୍ ରାସ୍ତା କେବଳ ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ପାଇଁ ନୁହେଁ, ସାରା ଓଡ଼ିଶା ପାଇଁ ସୁବିଧାଜନକ ହେବ।
ଏହା ପରେ ସରକାର ଏକ ଟେକ୍ନିକାଲ୍ ଟିମ୍ ଗଠନ କରିଛନ୍ତି। ଏହି ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତିର ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହାୟତାରେ ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବେ। ନିର୍ଦ୍ଦିଷ୍ଟ ସମୟସୀମା କହିପାରିବେ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ। ତେବେ ଭୁବନେଶ୍ୱର ଏକ ମେଟ୍ରୋପଲିଟାନ୍ ସିଟି ହୋଇଥିବାରୁ ଏଠାରେ ମେଟ୍ରୋର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ମେଟ୍ରୋ ନିର୍ମାଣ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।
