ଶିକ୍ଷକ ହେଲେ ଜିଲ୍ଲାପାଳ : ବଣ୍ଡା ପିଲାଙ୍କୁ ପଢ଼ାଇଲେ ପାଠ
ମାଲକାନଗିରି: କେମିତି ଚାଲିଛି ପାଠପଢା? କୁନି ପିଲା ପାଠକୁ କେତେ ବୁଝିପାରୁଛନ୍ତି? ଶିକ୍ଷକ-ଛାତ୍ରଙ୍କ ସମ୍ପର୍କ କେମିତି ରହିଛି? କିଛି ଏଭଳି ପ୍ରଶ୍ନର ଉତ୍ତର ଖୋଜିବାକୁ ବିଦ୍ୟାଳୟରେ ପହଂଚିଗଲେ ଜିଲ୍ଲାପାଳ | ପିଲାଙ୍କୁ ପାଠ ପଢାଇଲେ ଆଉ ପ୍ରଶ୍ନ ବି ପଚାରିଲେ | ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମଲକନାଗିରି ଜିଲ୍ଲାର କିଛି ସ୍କୁଲକୁ ଯାଇ ପାଠ ପଢ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି |
ମାଲକାନଗିରି ଜିଲ୍ଲପାଳ ବଣ୍ଡା ପାହାଡ଼ର ମୁଦୁଲିପଡ଼ାକୁ ଆକସ୍ମିକ ପରିଦର୍ଶନ କରିଥିଲେ। ସେଠାରେ ଥିବା ସରକାରୀ ଏସ୍ଏସ୍ଡି କନ୍ୟା ଉଚ୍ଚ ବିଦ୍ୟାଳୟରେ ସେ ଶିକ୍ଷକ ଭାବେ ପରିଣତ ହୋଇ ସପ୍ତମ ଓ ଅଷ୍ଟମ ଶ୍ରେଣୀର ବଣ୍ଡା ଆଦିବାସୀ କନ୍ୟାମାନଙ୍କୁ ଇଂରାଜୀ ଓ ସଂସ୍କୃତ ବିଷୟରେ ପଢ଼ାଇଥିଲେ।
ଅର୍ଦ୍ଧଘଣ୍ଟାରୁ ଅଧିକ ସମୟ ଧରି ସେ ପିଲାମାନଙ୍କୁ ଇଂରାଜୀ ପୁସ୍ତକରୁ ପଢ଼ିବାକୁ କହିଥିଲେ, ସେମାନଙ୍କ ଖାତା ଯାଞ୍ଚ କରିଥିଲେ ଏବଂ ଶିକ୍ଷକମାନଙ୍କୁ ପିଲାମାନଙ୍କ ଶିକ୍ଷାରେ ଯତ୍ନବାନ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ।ପିଲାମାନଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ।
ଏହି ପରିଦର୍ଶନ ସମୟରେ ଜିଲ୍ଲପାଳ ମାତୃ ଓ ଶିଶୁ ପୁଷ୍ଟିକରଣ କେନ୍ଦ୍ରକୁ ଯାଇ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ନିର୍ମାଣାଧୀନ ଘରଗୁଡ଼ିକର ଅଗ୍ରଗତି ଯାଞ୍ଚ କରିଥିଲେ। ଏହା ସହ ରାସ୍ତା, ସେତୁ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
ମୁଦୁଲିପଡ଼ାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ନୂଆ ଭବନର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିଥିଲେ ଏବଂ ଅଧିକାରୀମାନଙ୍କୁ ବଣ୍ଡା ସମ୍ପ୍ରଦାୟର ବିକାଶ ପାଇଁ ମୁଖ୍ୟଧାରାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଇଟିଡିଏ ପିଏ ଏବଂ ଖରାଇପୁଟ ବିଡିଓଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କହିଥିଲେ।
