ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସାହସୀ ଝିଅ, ରାତିଅଧରେ ହେଲା ପୋଷ୍ଟମର୍ଟମ

ଭୁବନେଶ୍ୱର: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ କଲେଜ ଛାତ୍ରୀ | ଜୀବନ ମରଣ ଲଢେଇ ଭିତରେ ଶେଷ ନିଶ୍ୱାସ ତ୍ୟାଗ କଲେ ଛାତ୍ରୀ | ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଛାତ୍ରୀ | ଆତ୍ମାହୁତି ଉଦ୍ୟମ ପରେ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ | ଆଉ ଏମ୍ସରେ ଚିକିତ୍ସା ଚାଲିଥିବାବେଳେ ଆଜି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି | ତେବେ ଛାତ୍ରୀଙ୍କ ମୃତଦେହକୁ ରାତିଅଧରେ ବ୍ୟବଛେଦ କରାଯାଇଛି | ଯାହାକୁ ନେଇ ଏମ୍ସ ପରିସରରେ ବିଜେଡି ଓ କଂଗ୍ରେସ କର୍ମୀ ରୁଣ୍ଡ ହୋଇ ହୋ ହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା | କଂଗ୍ରେସ କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ  ଏସବୁ ସତ୍ତ୍ୱେ ରାତି ଅଧରେ ପୋଷ୍ଟମର୍ଟମ କରାଯାଇ ଛାତ୍ରୀଙ୍କ ପୈତୃକ ଗାଁକୁ ମୃତଦେହ ପଠାଯାଇଛି |

ଉଲ୍ଲେଖ ଥାଉ କି କଲେଜର ସହ ଅଧ୍ୟାପକଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ପରେ ବି କେହି ନ ଶୁଣିବାରୁ ଶନିବାର କଲେଜରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ | ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା |

ତେବେ ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଶୋକ ପ୍ରକାଶ କରି କହିଛନ୍ତି ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲା ସରକାର ତାକୁ ନ୍ୟାୟ ଦେଇପାରିଲେ ନାହିଁ। ସେ ନ୍ୟାୟ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଠୁଁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ , କେନ୍ଦ୍ର ଶିକ୍ଷାମନ୍ତ୍ରୀ,ରାଜ୍ୟ ଶିକ୍ଷାମନ୍ତ୍ରୀ ପୋଲିସ, ପ୍ରଶାସନ, ସାଂସଦ ସମସ୍ତଙ୍କ ପାଖରେ ଅଭିଯୋଗ କରିଥିଲେ ବି କେହି ତାକୁ ନ୍ୟାୟ ଦେଇ ପାରିଲେ ନାହିଁ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ଏବଂ କଂଗ୍ରେସ ଦଳ ତାଙ୍କ ପରିବାର ସହ ଏହି ଦୁଃଖଦ ସମୟରେ ରହିଛି ବୋଲି ସେ କହିଛନ୍ତି।ତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଆନ୍ଦୋଳନ ଜାରି ରଖିବ।

Leave a Reply

Your email address will not be published. Required fields are marked *