ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବାଲେଶ୍ୱରରେ ତୀବ୍ର ଆନ୍ଦୋଳନ କଲା ବିଜେଡି
ଭୁବନେଶ୍ୱର : ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବାଲେଶ୍ଵର ଜିଲ୍ଲା ବନ୍ଦ ଡାକରା ଦେଇ ତୀବ୍ର ବିରୋଧ କରିଛି ବିଜେଡି | ଆଜି ବିଜୁଜନତା ଦଳ ପକ୍ଷରୁ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା ।

ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ କରାଯାଇଥିବାବେଳେ ଦୋକାନ ବଜାର, ସରକାରୀ ଅଫିସ୍, ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା | ସାମ୍ପ୍ରତିକ ଶାସନ ବ୍ୟବସ୍ଥା ଯୋଗୁଁ ଜଣେ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ଚାଲିଯାଇଥିବା କଥା ଦଳ ପକ୍ଷରୁ ଅଭିଯୋଗ ହୋଇଛି । ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସାଙ୍ଗକୁ ଭବିଷ୍ୟତରେ ଯେଭଳି ଏମିତି ଅଘଟଣ ନଘଟେ, ସେନେଇ ସରକାର ଉଚିତ ପଦକ୍ଷେପ ନେବା ଦାବିରେ ଏହି ୮ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି ବୋଲି ବାଲେଶ୍ୱର ବିଜେଡି ପକ୍ଷରୁ କୁହାଯାଇଛି |
