ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡିତା
ଭୁବନେଶ୍ବର: ପୁରୀର ବଳଙ୍ଗା ନାବାଳିକା ପୀଡ଼ିତା ଆଉ ନାହାନ୍ତି। ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି। ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରମାନେ ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।
ଉଲ୍ଲେଖ ଥାଉ କି, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଉ ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଦଳ ତାଙ୍କର ଚିକିତ୍ସା କରୁଥିଲେ | ତେବେ ଗତ ୨୪ ଘଣ୍ଟା ମଧ୍ୟରେ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା, ଆଉ ଆଜି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |
ବଳଙ୍ଗା ଘଟଣାରେ ପୁଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ବିସ୍ଫୋରକ ସୂଚନା ପ୍ରଦାନ କରାଯାଇଛି। ପୁଲିସ କହିଛି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି।ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
