ପୁଣି ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ, ଦିଲ୍ଲୀରେ ତେଜିଲା ବୟାନବାଜି

ନୂଆଦିଲ୍ଲୀ: ଦିଲ୍ଲୀରେ ମତଦାନ ଦିନ ଯେତିକି ପାଖେଇ ଆସୁଛି, ବୟାନବାଜିଠୁ ଆରମ୍ଭ କରି ଅଶାନ୍ତି ବଢିବାରେ ଲାଗିଛି । ଶନିବାର ସନ୍ଧ୍ୟାରେ ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ ଉପରକୁ ପଥର ମାଡ଼ କରିଥିବା ଗୁରୁତର ଅଭିଯୋଗ ହୋଇଛି। ଏ ନେଇ ଆପ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛି। ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କିଛି ଲୋକ କଳା ପତାକା ଦେଖାଇ କେଜ୍ରିୱାଲଙ୍କ ଗାଡ଼ି ପାଖକୁ ଆସୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ଅନ୍ୟ ପଟୁ ଏକ ପଥର ଆସୁଥିବା ମଧ୍ୟ ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀମାନେ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ମଧ୍ୟ ଏହି ଘଟଣା ରାଜନୈତିକ ମହଲରେ ବିବାଦ ସୃଷ୍ଟି କରିଛି। ଆପ୍ ଓ ବିଜେପି ମଧ୍ୟରେ ଦୋଷ ଲଦାଲଦି ରାଜନୀତି ମଧ୍ଯ ତେଜିଛି।

ନୂଆଦିଲ୍ଲୀରୁ ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ଉପରେ ଆମ୍ ଆଦମୀ ପାର୍ଟି (ଆପ୍) ଆଙ୍ଗୁଠି ଉଠାଇଛି। ଆକ୍ରମଣକାରୀ ପରବେଶ ବର୍ମାଙ୍କ ସମର୍ଥକ ବୋଲି ଆପ୍ କହିଛି। କେଜ୍ରିୱାଲ୍ ତାଙ୍କ ଗାଡ଼ିରେ ତିନି ଜଣ ଯୁବକଙ୍କୁ ଧକ୍କା ମାରିବା ପରେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ବୋଲି ପରବେଶ ବର୍ମା ଅଭିଯୋଗ କରିଛନ୍ତି। ଉଭୟ ପକ୍ଷର ଅଭିଯୋଗର ତଦନ୍ତ ପରେ ହିଁ ମାମଲାର ପ୍ରକୃତ ତଥ୍ୟ ପଦାକୁ ଆସିପାରିବ। କିନ୍ତୁ ଗତ କିଛି ଦିନ ହେବ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ନେଇ ଅନେକ ଖବର ସାମ୍ନାକୁ ଆସିଛି । ଗତ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ଅନେକ ଥର ଆକ୍ରମଣ କରାଯାଇଛି।

ଗତ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଯେତେବେଳେ ବି ଆକ୍ରମଣ ହୋଇଥିଲା, ତାଙ୍କ ଦଳ ଏହାର ଫାଇଦା ଉଠାଇଛି। ଦୁଇ ଦିନ ତଳେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଗୁଇନ୍ଦା ଏଜେନ୍ସି ସତର୍କ ସୂଚନା ଜାରି କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେଜ୍ରିଓ୍ଵାଲଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଛି। ଏଭଳି ସୂଚନା ଆସିବା ପରେ କେଜ୍ରିଓ୍ଵାଲଙ୍କ ବୟାନ ତୁରନ୍ତ ଆସିଥିଲା ଏବଂ ସେ ନିଜ ଜୀବନପ୍ରତି ଧ୍ୟାନ ଦେଉନଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *