ଶକ୍ତିଶାଳୀ ହେବ ସେନା, ମିଳିବ ଏହି ହେଲିକପ୍ଟର |

ନୂଆଦିଲ୍ଲୀ: ଭାରତୀୟ ସେନାକୁ ଶେଷରେ ବହୁ ପ୍ରତୀକ୍ଷିତ ଆପାଚେ ହେଲିକପ୍ଟର ମିଳିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୩ଟି ଆପାଚେ ହେଲିକପ୍ଟର ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ। ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତୀୟ ସେନା ୬ଟି ଆପାଚେ ହେଲିକପ୍ଟର ଆଣିବା ପାଇଁ ୬୦୦ ନିୟୁତ ଡଲାରର ରାଜିନାମା ସ୍ବାକ୍ଷର କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୪ ମେ ଏବଂ ଜୁନ୍‌ ମାସରେ ଏହା ଭାରତୀୟ ସେନାକୁ ମିଳିବ ବୋଲି ଆଶା ରଖାଯାଇଥିଲା। କିନ୍ତୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହିତ ଅନ୍ୟାନ୍ୟ ଅସୁବିଧା କାରଣରୁ ଏହା ମିଳିବା ବିଳମ୍ବ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୪ ଡିସେମ୍ବରକୁ ଏହି ସମୟସୀମା ଘୁଞ୍ଚିଥିଲା।

ମୂଳ ଯୋଜନା ଅନୁଯାୟୀ, ଦୁଇଟି ପର୍ଯ୍ୟାୟରେ ୩ଟି ଲେଖାଏଁ ହେଲିକପ୍ଟର ଆସିବା ନେଇ ଯୋଜନା ରହିଥିଲା। ଦ୍ବିତୀୟ ପର୍ଯ୍ୟାୟ ହେଲିକପ୍ଟର ଚଳିତବର୍ଷ ମିଳିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ହେଲିକପ୍ଟର ଏବେ ମିଳିବ। ବର୍ଷ ଶେଷ ଆଡ଼କୁ ଦ୍ବିତୀୟ ପର୍ଯ୍ୟାୟ ଆପାଚେ ହେଲିକପ୍ଟର ମିଳିବା ଆଶା ରହିଛି। ଆପାଚେ ଏଏଚ୍‌-୬୪ଇ ହେଲିକପ୍ଟରଗୁଡ଼ିକ ଅତ୍ୟାଧୁନିକ ଟା‌ର୍ଗେଟ୍‌ ବ୍ୟବସ୍ଥା ପାଇଁ ବେଶ୍‌ ପରିଚିତ। ସେନାରେ ଏହାକୁ ସାମିଲ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ବିଶେଷକରି ଅପରେସନ୍‌ ସିନ୍ଦୂର ପରେ ଏହାର ଗୁରୁତ୍ବ ବୃଦ୍ଧି ପାଇଛି। ୨୦୧୫ ମସିହାର ଏକ ରାଜିନାମା ଅନୁଯାୟୀ, ଭାରତୀୟ ବାୟୁସେନାରେ ପୂର୍ବରୁ ୨୨ଟି ଆପାଚି ହେଲିକପ୍ଟର ସାମିଲ ହୋଇ ସାରିଥିଲେ ମଧ୍ୟ ସ୍ଥଳ ସେନାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସାମିଲ ହୋଇ ପାରିନାହିଁ। ଏହି ହେଲିକପ୍ଟର ଦ୍ବାରା ସ୍ଥଳସେନାର କ୍ଷମତା ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *