ବିଜେଡି ପ୍ରେରିତ ଆନ୍ଦୋଳନ – ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ!

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଅମଲାଙ୍କ ଆନ୍ଦୋଳନକୁ ନେଇ ଏବେ ରାଜନୀତିକ ତାପମାତ୍ରା ବଢ଼ିଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସାମ୍ବାଦିକ ସମ୍ମେଳନରେ କହିଛନ୍ତି, “ଏହି ଆନ୍ଦୋଳନର ପଛରେ ବିଜେଡିର ହାତ ଅଛି।”

ମନ୍ତ୍ରୀଙ୍କ କହିବା ଅନୁସାରେ, କିଛି ସଂଘର ନେତା ବିଜେଡି ଦ୍ୱାରା ପ୍ରେରିତ ହୋଇ ଅମଲାଙ୍କୁ ଭୁଲ ଦିଗରେ ନେଉଛନ୍ତି। ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି, ବରଂ ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବାକୁ ଲକ୍ଷ୍ୟ କରୁଛନ୍ତି।

ସୁରେଶ ପୂଜାରୀ କହିଛନ୍ତି, “ବିଭିନ୍ନ ଜିଲ୍ଲାରୁ ଅମଲା କର୍ମଚାରୀ ଆସିଥିଲେ, ସେମାନେ କହିଲେ ସଂଘର ନେତାମାନେ ଆମକୁ କିଛି ତଥ୍ୟ ଦେଇନାହାନ୍ତି। ଅନେକ କର୍ମଚାରୀ ସୋମବାରରୁ କାର୍ଯ୍ୟରେ ଯୋଗ ଦେବାକୁ ସମ୍ମତି ଜଣାଇଛନ୍ତି।”

ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, “ଏହା ମୋ ପରିବାରର ସମସ୍ୟା। ସମାଧାନ ପାଇଁ ସମୟ ଲାଗିବ। ବିଧିବ୍ୟବସ୍ଥା ଭିତରେ କ୍ୟାଡର ପୁନର୍ଗଠନ ପ୍ରକ୍ରିୟା ଶେଷ ସୋପାନରେ ଅଛି।” ସେ ଏହିଥିରେ ପୂର୍ବତନ ସରକାରଙ୍କୁ ଆକ୍ରମଣ କରି କହିଛନ୍ତି, “ବିଜେଡି ସରକାର ବହୁ ସମସ୍ୟା ଛାଡ଼ି ଯାଇଥିଲେ, କିନ୍ତୁ କୌଣସି ସମସ୍ୟାର ସମାଧାନ କରିପାରିନଥିଲେ।”

ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି, “କିଛି ଲୋକ ଏବେ ମଧ୍ୟ ଭାବୁଛନ୍ତି ବିଜେଡି ସରକାର ଚାଲିଛି। ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି, ତାହାର ରିପୋର୍ଟ ମୋ ପାଖରେ ଅଛି। ୮ ହଜାର ଅମଲାଙ୍କୁ ଆନ୍ଦୋଳନରେ ଲଗାଇ ସରକାରକୁ ହଇରାଣ କରିବା ପ୍ରୟାସ ଚାଲିଛି। କିନ୍ତୁ ସରକାରକୁ ଅସ୍ତ୍ରରେ ଅପଦସ୍ତ କରିବା ସମ୍ଭବ ନୁହେଁ।”

ମନ୍ତ୍ରୀ ଶେଷରେ କହିଛନ୍ତି, “ସରକାର ଏବେ କୌଣସି କଠୋର ପଦକ୍ଷେପ ନେଉନାହାନ୍ତି। କିନ୍ତୁ ଯଦି କିଛି ଲୋକ ସୁଧୁରିବେ ନାହିଁ, ତେବେ ରାଜସ୍ବ ବିଭାଗ ପାଖରେ ପର୍ଯ୍ୟାପ୍ତ ଅସ୍ତ୍ର ଅଛି। ସେମାନେ ସେହି ପରିସ୍ଥିତି ସମ୍ଭାଳି ପାରିବେ ନାହିଁ।”

Leave a Reply

Your email address will not be published. Required fields are marked *