ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର ଆନ୍ଦୋଳନ ସ୍ଥଗିତ, ୧୫ ଦିନ ପରେ କାର୍ଯ୍ୟକୁ ଯୋଗ ଦେଲେ କର୍ମଚାରୀମାନେ
ଭୁବନେଶ୍ୱର: ଦୀର୍ଘ ୧୫ ଦିନ ଧରି ଚାଲିଥିବା ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥଗିତ ହୋଇଛି। ଅଗଷ୍ଟ ୧୧ ଠାରୁ ସମୂହ ଛୁଟିରେ ଯାଇଥିବା ୧୦ ହଜାରୁ ଅଧିକ କର୍ମଚାରୀ ମଙ୍ଗଳବାର ଠାରୁ ପୁନର୍ବାର କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତି ତିବ୍ର ହୋଇଥିବା ଓ ପଶ୍ଚିମ ଓଡ଼ିଶାର ପ୍ରମୁଖ ଲୋକପର୍ବ ‘ନୂଆଖାଇ’ ଧ୍ୟାନରେ ରଖି, ଲୋକମାନେ ହଇରାଣ ନହେବେ ବୋଲି ବିଚାର କରି ସଙ୍ଘ ଆନ୍ଦୋଳନ ସ୍ଥଗିତ କରିବାକୁ ସମ୍ମତି ଦେଇଛି।
ସୋମବାର ରାତିରେ ସରକାରୀ ସ୍ତରରେ ରାଜସ୍ୱ ଅମଲା ସଙ୍ଘ ସହ ବିସ୍ତୃତ ଆଲୋଚନା ହୋଇଥିଲା। ସେଥିରେ ସରକାର, ଅମଲା ସଙ୍ଘର ୧୦-ଦଫା ଦାବି ଉପରେ ପଜିଟିଭ୍ ସଙ୍କେତ ଦେଇଥିଲା। ଏହା ପରେ ସଙ୍ଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥଗିତ କରାଯାଇଥିବା ସୂଚନା ଦିଆଯାଇଛି। ସଙ୍ଘର ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି,
“ଆମର ୧୦-ଦଫା ଦାବି ଉପରେ ସରକାର ପ୍ରତିଶ୍ରୁତି ଦେଇଛି। ବନ୍ୟା ପରିସ୍ଥିତି ଓ ନୂଆଖାଇ ପର୍ବକୁ ବିଚାର କରି, ଲୋକଙ୍କୁ ହଇରାଣ ନକରିବା ପାଇଁ ଆମେ ଆନ୍ଦୋଳନ ସ୍ଥଗିତ କରିଛୁ। ୧୫ ଦିନ ହେବାକୁ ଆସିଲା, କର୍ମଚାରୀମାନେ ସମୂହ ଛୁଟିରେ ରହିଥିଲେ। ଆଜିଠାରୁ ସେମାନେ କାର୍ଯ୍ୟକୁ ଯୋଗ ଦେଲେ।” ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଅମଲା ଆମ ପରିବାର। ବୁଝାଇବା, ମନାଇବା ଆମ କାମ। ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନୁ। କିନ୍ତୁ ପରିସ୍ଥିତି ଠିକ୍ ନ ହେଲେ, ବାଧ୍ୟ ହେବାକୁ ପଡ଼ିବ। ବଡ଼ କାମ ହେଲା, ଗରିବ ଲୋକ ରାଜସ୍ୱ ସେବାରୁ ବଞ୍ଚିତ ନହେଉନ୍ତୁ।”
ଗତ ୧୫ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାଜସ୍ୱ କାର୍ଯ୍ୟ ଅସ୍ତବ୍ୟସ୍ତ ହୋଇଥିଲା। ସାଧାରଣ ଲୋକଙ୍କ ଜମି-ଜାଗା, ମ୍ୟୁଟେସନ୍, ରେଭେନ୍ୟୁ ସର୍ଟିଫିକେଟ୍, ଓ ପ୍ରାକୃତିକ ବିପଦ ସମୟରେ ମିଳୁଥିବା ସହାୟତାକୁ ନେଇ କାମ ପ୍ରଭାବିତ ହୋଇଥିଲା। ଗତକାଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ତାଲିକା ଦିଅନ୍ତୁ କେଉଁଠି ଅମଲା କାମରେ ଯୋଗ ଦେଇ ନାହାନ୍ତି | ତଥାପି ଆଜିଠାରୁ 20ଟି ଜିଲ୍ଲାରେ ରାଜସ୍ୱ ଅମଲାମାନେ କାର୍ଯ୍ୟକୁ ଫେରିଛନ୍ତି ବୋଲି ସରକାରୀ ସୂଚନା ମିଳିଛି।
