ଜାତୀୟ ରାଜପଥରେ ଅଗ୍ନିକାଣ୍ଡ:ହୁତୁହୁତୁ ହୋଇ ଜଳିଗଲା ଆମ ବସ୍
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ମୋ ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ବସ୍ଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ୩୦ରୁ ଅଧିକ ଯାତ୍ରୀ।
ସୂଚନା ଅନୁଯାୟୀ, ବସ୍ଟି କଟକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ହଠାତ୍ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ, ଯଦିଓ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣା ସମୟରେ ବସ୍ରେ ଥିବା ଯାତ୍ରୀମାନେ ନିଆଁ ଦେଖି ତୁରନ୍ତ ବାହାରି ପଡ଼ିଥିଲେ, ଯାହାଫଳରେ ସମସ୍ତେ ସୁରକ୍ଷିତ ଭାବେ ରକ୍ଷା ପାଇଛନ୍ତି। କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି। ଘଟଣା ସଂପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ, ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ବସ୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଓଡ଼ିଶା ରାଜ୍ୟ ପରିବହନ ନିଗମ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ କରୁଛି।
