ନାବାଳିକାକୁ ଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତ ଗିରଫ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ବିସ୍ରା ଥାନା ଅଧୀନରେ ଘଟିଥିବା ଏହି ଘଟଣା ଇସ୍ପାତ ସହରରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା।
ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ଓ ରିପୋର୍ଟକୁ ଭିତ୍ତି କରି ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ ହୋଇଛି। ଶୁକ୍ରବାର ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇ ତୁରନ୍ତ କୋର୍ଟ ଚାଲାଣ କରାଯାଇଛି। ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଛି।
ରାଉରକେଲା ପୁଲିସ ଡିଏସପି ନିର୍ମଳ ମହାପାତ୍ର କହିଛନ୍ତି, ସମସ୍ତ ସମ୍ଭାବ୍ୟ ସ୍ଥାନରେ ଅଭିଯୁକ୍ତଙ୍କୁ ଖୋଜିବା ସହ ସେହିଦିନ ୫ ଜଣଙ୍କୁ ଅଟକ ରଖାଯାଇଥିଲା। ଏବେ ଶେଷ ଅଭିଯୁକ୍ତ ମଧ୍ୟ ଧରାପଡ଼ିଥିବାରୁ ସମସ୍ତଙ୍କୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ହାଜର କରାଯିବ। ସମସ୍ତ ୬ ଜଣ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି, ସେମାନଙ୍କ ବୟାନ ରେକର୍ଡ କରାଯାଉଛି ଏବଂ ମାମଲାର ଅଧିକ ତଦନ୍ତ ଜାରି ରହିଛି।
ତେବେ ରାଉରକେଲା ସହରରେ ଗତ କିଛି ମାସ ମଧ୍ୟରେ ଅନେକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଗତ ଡିସେମ୍ବର ମାସରେ ଜଣେ ନାବାଳିକାଙ୍କୁ ଅପହରଣ କରି ଏକ କୋଠରୀରେ ୩ ଦିନ ବନ୍ଦ କରି ରଖିଥିଲେ, ଯେଉଁଠାରେ ତାଙ୍କୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ଅନ୍ୟ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ସାନ ଭାଇଙ୍କୁ ମଧ୍ୟ ଯୌନ ନିର୍ଯାତନା ଦିଆଯାଇଥିଲା। ଏହି ସବୁ ଘଟଣା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ପ୍ରତିଶ୍ରୁତି ଦେବା ସହ ଏଭଳି ଅପରାଧକୁ ରୋକିବା ପାଇଁ ସ୍ଥାନୀୟ ସମୁଦାୟକୁ ସହଯୋଗ କରିବାକୁ ନିବେଦନ କରିଛି।
