ଏୟାରଲିଫ୍ଟରେ ଦିଲ୍ଲୀ ଏମ୍ସ ଗଲେ ବଳଙ୍ଗା ପୀଡିତା |

ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କୁ ଶେଷରେ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି | ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଛି | ଆଜି ଭୁବନେଶ୍ୱର ଏମ୍ସରୁ ସ୍ୱତନ୍ତ୍ର ଗ୍ରୀନ କରିଡରରେ ପୀଡିତାଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଥିଲା | ଏହାପରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଦିଲ୍ଲୀ ଏମ୍ସକୁ ପଠାଯାଇଛି | ଆପଣଙ୍କୁ ଜଣାଇଦେଉଛୁ ଯେ ଗତକାଲି ପୁରୀ ନିମାପଡ଼ା ବ୍ଲକ୍‌ ଅନ୍ତର୍ଗତ ବଳଙ୍ଗା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ବଳଙ୍ଗା ଥାନା ବାୟାବର ଗ୍ରାମ ନୂଆଗୋପାଳପୁର ପଡ଼ାର ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ନାବାଳିକାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିଲା । ଶରୀରର ୭୦ ରୁ ୭୫ ପ୍ରତିଶତ ପୋଡିଯାଇଥିଲା ।

ନାବାଳିକାଙ୍କ ମା’ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ବହି ଦେବାକୁ ବଡ଼ବାପା ଘରକୁ ସକାଳେ ଆସୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ତାକୁ ଅପହରଣ କରି ତେରହଳ ନିକଟସ୍ଥ ଭାର୍ଗବୀ ନଦୀ ବନ୍ଧ ତଳେ କିରାସିନି ଢାଳି ନିଆଁ ଲଗାଇ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ଝିଅ ଦୁର୍ବୃତ୍ତମାନଙ୍କ କବଳରୁ ଖସି ଆସିଥିଲେ | ଏହାପରେ ସ୍ଥାନୀୟ ଲୋକ ବଳଙ୍ଗା ପୁଲିସକୁ ଖବର ଦେ‌ଇଥିଲେ। ନାବାଳିକାକୁ ପ୍ରଥମେ ପିପିଲି ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍‌ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

——

Leave a Reply

Your email address will not be published. Required fields are marked *