ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ତିରୁବନନ୍ତପୁରମରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିବା ଏୟାର ଇଣ୍ଡିଆର ବିମାନ ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ସହ ଖରାପ ପାଗ ଯୋଗୁଁ ର୍ମଚାରୀମାନେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ବିମାନଟିକୁ ଚେନ୍ନାଇକୁ ଡାଇଭର୍ଟ କରିଥିଲେ। ଏୟାର ଇଣ୍ଡିଆ ନିଶ୍ଚିତ କରିଛି ଯେ ବିମାନଟି ଚେନ୍ନାଇରେ ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ଏହାର ଯାନ୍ତ୍ରିକ ତ୍ରୁଟି ସମ୍ପର୍କିତ ତଦନ୍ତ ଆରମ୍ଭ ହୋଇଛି।

ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ଅଗଷ୍ଟ ୧୦ ତାରିଖରେ ତିରୁବନନ୍ତପୁରମରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିବା ଏଆଇ୨୪୫୫ ର କର୍ମଚାରୀମାନେ ସନ୍ଦେହଜନକ ଯାନ୍ତ୍ରିକ ସମସ୍ୟା ଏବଂ ଖରାପ ପାଗ ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲା ଏବଂ ବିମାନଟି ସୁରକ୍ଷିତ ଭାବରେ ଚେନ୍ନାଇରେ ଅବତରଣ କରିଥିଲା। ସେ କହିଛନ୍ତି ଯେ ପ୍ରଭାବିତ ଯାତ୍ରୀମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ। ଚେନ୍ନାଇରେ ଆମର ସହକର୍ମୀମାନେ ଯାତ୍ରୀମାନଙ୍କୁ ସେମାନଙ୍କର ଅସୁବିଧାକୁ କମ କରିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି ଏବଂ ଯାତ୍ରୀମାନଙ୍କୁ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି।

ଏହି ବିମାନରେ କେରଳର ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ କେସି ଭେନୁଗୋପାଳ ସମେତ ଅନ୍ୟାନ୍ୟ ସାଂସଦ ଯଥା ୟୁଡିଏଫ ସଂଯୋଜକ ଆଦୂର ପ୍ରକାଶ, କେ. ସୁରେଶ, କେ. ରାଧାକୃଷ୍ଣନ ଏବଂ ତାମିଲନାଡୁ ସାଂସଦ ରବର୍ଟ ବ୍ରୁସ ଉପସ୍ଥିତ ଥିଲେ।

କେସି ଭେନୁଗୋପାଳ ସୋମବାର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, “ତିରୁବନନ୍ତପୁରମରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୨୪୫୫ ରେ ମୁଁ ଓ ଅନେକ ସାଂସଦ ସମେତ ଶହ ଶହ ଯାତ୍ରୀ ଥାଉ। ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟି ଅସ୍ଥିରତାର ସମ୍ମୁଖୀନ ହେଲା, ଯାହା ଏକ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲା। ଆମେ ଭାଗ୍ୟବଶତଃ ସୁରକ୍ଷିତ ଥିଲୁ, କିନ୍ତୁ ଯାତ୍ରୀଙ୍କ ସୁରକ୍ଷା କେବଳ ଭାଗ୍ୟ ଉପରେ ନିର୍ଭର କରିବା ଉଚିତ ନୁହେଁ।”

ସେ ଆହୁରି କହିଛନ୍ତି, “ମୁଁ ଡ଼ିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏହି ଘଟଣାର ତୁରନ୍ତ ତଦନ୍ତ କରିବାକୁ, ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଏବଂ ଭବିଷ୍ୟତରେ ଏପରି ଘଟଣା ପୁନରାବୃତ୍ତି ନ ହେବା ନିଶ୍ଚିତ କରିବାକୁ ଅନୁରୋଧ କରୁଛି।”

ନ୍ୟୁଜ୍ ଏଜେନ୍ସି ଆଇଏଏନଏସ ଅନୁସାରେ, ଏହି ବିମାନରେ କେରଳ ଓ ତାମିଲନାଡୁର କେତେକ ବିଶିଷ୍ଟ ସାଂସଦ ଉପସ୍ଥିତ ଥିଲେ, ଯାହା ଘଟଣାର ଗୁରୁତ୍ୱକୁ ଆହୁରି ବଢ଼ାଇଛି। ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ନିଶ୍ଚିତ କରିଛି।

Leave a Reply

Your email address will not be published. Required fields are marked *