ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀଙ୍କ ପାଇଁ ଅନେକ କଠୋର ନିୟମ ଲାଗୁ କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ସୁଦ୍ଧା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାକୁ ନ ମାନିଲେ ବାର୍ଷିକ ଇନକ୍ରିମେଣ୍ଟ, ପଦୋନ୍ନତି ଓ ଆର୍ଥିକ ପୁରସ୍କାର ବନ୍ଦ ହେବା ଭଳି ପରିଣାମ ଭୋଗିବାକୁ ପଡ଼ିବ।

ନିକଟରେ ପ୍ରଶାସନିକ ସମୀକ୍ଷା ବେଳେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶୃଙ୍ଖଳା ଓ ସାଂସ୍କୃତିକ ଅଖଣ୍ଡତାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ବ୍ୟାପକ ପାଞ୍ଚ ସୂତ୍ରୀ ଆକ୍ସନ ପ୍ଲାନ୍ ପ୍ରକାଶ କରିଛନ୍ତି। ଏହି ଯୋଜନାରେ କାମ ସମୟରେ ପାନ, ଗୁଟଖା କିମ୍ବା କୌଣସି ନିଶାଦ୍ରବ୍ୟ ସେବନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଏହାବ୍ୟତୀତ ପ୍ରତି ମାସର ତୃତୀୟ ଶୁକ୍ରବାର ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରାଯାଇ ନିରନ୍ତର ତଦାରଖ ସୁନିଶ୍ଚିତ କରାଯିବ। ଅନ୍ୟ ଏକ ଉଲ୍ଲେଖନୀୟ ଗାଇଡଲାଇନ୍ ହେଉଛି ସରକାରୀ ୟୁନିଫର୍ମ ପିନ୍ଧିଥିବା କର୍ମଚାରୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ କର୍ମଚାରୀପ୍ରତି ଶୁକ୍ରବାର ପାରମ୍ପରିକ ପୋଷାକ ପିନ୍ଧିବା ବାଧ୍ୟତାମୂଳକ। ମନ୍ଦିରର ସାଂସ୍କୃତିକ ଭାବନା ଏବଂ ବିଶ୍ୱାସ ସହିତ କର୍ମଚାରୀମାନଙ୍କୁ ତାଳମେଳ ରଖିବା ପାଇଁ ଏହି ନିୟମ ଏକ ପ୍ରୟାସ।

ବିଭ୍ରାନ୍ତି ଦୂର କରିବା ପାଇଁ ମନ୍ଦିର ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ଅଧିକ ସକ୍ରିୟ ଏବଂ ଉତ୍ତରଦାୟୀ ପ୍ରଶାସନର ବିକାଶ ପାଇଁ ଏହି ନିର୍ଦ୍ଦେଶାବଳୀ ଧାର୍ଯ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *