‘୩ଇଡିୟଟ୍ସ’ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିବା ପ୍ରଫେସର ଅଚ୍ୟୁତ ପୋତଦାର ଆଉ ନାହାନ୍ତି
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ‘୩ ଇଡିୟଟ୍ସ’ ଫିଲ୍ମରେ କଠୋର ପ୍ରଫେସର ଭୂମିକାରେ ଦର୍ଶକଙ୍କ ହୃଦୟ ଜିଣିଥିବା ଅଚ୍ୟୁତ ପୋତଦାର ଆଉ ଆମ ମଧ୍ୟରେ ନାହାନ୍ତି। ସେ ଥାନେର ଜୁପିଟର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଅଚ୍ୟୁତ ପୋତଦାର ହିନ୍ଦୀ ଓ ମରାଠୀ ସିନେମାରେ ଅଭିନୟ କରି ନିଜର ଛାପ ଛାଡ଼ିଥିଲେ। ସେ ପ୍ରାୟ ୧୨୫ରୁ ଅଧିକ ଫିଲ୍ମରେ କାମ କରିଛନ୍ତି, ଯେଉଁଥିରେ ‘୩ ଇଡିୟଟ୍ସ’, ‘ଆକ୍ରୋଶ’, ‘ତେଜାବ’, ‘ପରିନ୍ଦା’, ‘ରାଜୁ ବନ୍ ଗୟା ଜେଣ୍ଟିଲମ୍ୟାନ୍’, ‘ରଙ୍ଗିଲା’, ‘ଲଗେ ରହୋ ମୁନ୍ନା ଭାଇ’, ‘ଦବଙ୍ଗ-୨’ ଭଳି ଜନପ୍ରିୟ ଚଳଚ୍ଚିତ୍ର ରହିଛି। ୨୦୦୯ରେ ମୁକ୍ତିଲାଭ କରିଥିବା ‘୩ ଇଡିୟଟ୍ସ’ରେ ତାଙ୍କର ପ୍ରଫେସର ଚରିତ୍ର ଓ ସଂଳାପ ‘କେହନା କ୍ୟା ଚାହତେ ହୋ’ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥିଲା। ଏହା ଏବେ ବି ସୋସିଆଲ ମିଡିଆରେ ମିମ୍ସ ଓ ଭିଡିଓରେ ବହୁଳ ଭାବେ ବ୍ୟବହୃତ ହୁଏ।
ଅଭିନୟ ଜଗତରେ ପାଦ ଥାପିବା ପୂର୍ବରୁ ଅଚ୍ୟୁତ ଭାରତୀୟ ସଶସ୍ତ୍ର ବାହିନୀ ଓ ଇଣ୍ଡିଆନ ଅଏଲ କମ୍ପାନୀରେ କାମ କରିଥିଲେ। ୧୯୮୦ ଦଶକରେ ଅଭିନୟ ପ୍ରତି ଆଗ୍ରହ ତାଙ୍କୁ ସିନେମା ଓ ଟେଲିଭିଜନ ଜଗତକୁ ଆଣିଥିଲା। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ଦର୍ଶକଙ୍କୁ ମନୋରଞ୍ଜନ ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ବଲିଉଡ, ମରାଠୀ ସିନେମା ଓ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳାଇ ଦେଇଛି।
