କୋମାରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଏମ୍ସରେ ଚାଲିଛି ଜୀବନ ସଂଗ୍ରାମ
ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବେ କୋମାରେ। ଗୁରୁତର ଅବସ୍ଥାରେ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି। ଡାକ୍ତରୀ ଟିମ୍ ଅନୁଯାୟୀ, ଅଭିଜିତ ଲିଭର ସିରୋସିସ ଓ ନିମୋନିଆରେ ଆକ୍ରାନ୍ତ। ବର୍ତ୍ତମାନ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।
ଗତ ସପ୍ତାହେ ଧରି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଅବସ୍ଥା ଅଧିକ ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅଭିଜିତଙ୍କ ସୁମଧୁର ସଙ୍ଗୀତ ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି। ତାଙ୍କ ଗୀତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥାଏ, ଝୁମାଇଥାଏ ଓ ଅନେକ ସମୟରେ ଆଖିରେ ଲୁହ ଆଣିଥାଏ।
ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଏମ୍ସ ପହଞ୍ଚିଛନ୍ତି। ଅଭିନେତା ବାବୁସାନ ମହାନ୍ତି ଅନ୍ୟତମ। ଏହାସହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ କିଛି ରାଜନେତା ସୋସିଆଲ ମିଡିଆ ମାଧ୍ୟମରେ ଅଭିଜିତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ସମଗ୍ର ଓଲିଉଡ୍ ଏବେ ଏକଜୁଟ ହୋଇ ତାଙ୍କ ସୁସ୍ଥତା କାମନା କରୁଛି।
