ଅପପୃଷ୍ଟି ମୁକ୍ତ ଓଡ଼ିଶା ପାଇଁ ସିଡିପିଓମାନଙ୍କର ରହିଛି ସକ୍ରିୟ ଭୂମିକା: ପ୍ରଭାତୀ
ଭୁବନେଶ୍ୱର: ଆଜି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦକ୍ଷତା ବିକାଶ କର୍ମଶାଳାରେ ଜଣେ ସିଡିପିଓଙ୍କ ଦାୟିତ୍ୱ କଣ ରହିବାର ଆବଶ୍ୟକତା ରହିଛି ତାହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି | ସେ କହିଛନ୍ତି ଯେ “ଯଦିଓ ଓଡ଼ିଶା ଅପପୃଷ୍ଟିରେ ଜାତୀୟ ହାର ଠାରୁ ଭଲ ଅବସ୍ଥାରେ ଅଛି, ତଥାପି ଏହା ଶୁଭ ସଙ୍କେତ ନୁହେଁ। ଇଣ୍ଟରଲିଙ୍କର ଅଭାବ ଏହାର ମୁଖ୍ୟ କାରଣ। ବିକଶିତ ଓଡ଼ିଶା ଗଠନ ପାଇଁ ଏଥିରେ ଗୁରୁତ୍ୱ ଦେବା ଆବଶ୍ୟକ।”
ସେ କହିଛନ୍ତି ଯେ, ଅପପୃଷ୍ଟି ଦୂର କରି ଓଡ଼ିଶା କୁ ଏକ ସକ୍ରିୟ ଅପପୃଷ୍ଟି ମୁକ୍ତ ରାଜ୍ୟ ବନେଇବା ପାଇଁ ସିଡିପିଓମାନଙ୍କ ଭୂମିକା ଅତ୍ୟନ୍ତ ଦରକାର। ସ୍ଵଛତାରେ ଗୁରୁତ୍ୱ ଦେଇ ଫିଲ୍ଡ ଭିଜିଟ କରିବା, ଅଙ୍ଗନବାଡ଼ି ସେଣ୍ଟରରେ ତଥ୍ୟ ସଠିକ୍ ଭାବରେ ପହଁଚୁଛି କି ନାହିଁ ତାହା ଯାଞ୍ଚ କରିବା ଦରକାର। ସେ ଅଧିକ କହିଛନ୍ତି, “ସରକାର ଯାହା ପଠାଉଛନ୍ତି, ତାହା ଅଙ୍ଗନବାଡ଼ି ଯାଞ୍ଚ କରି ସଠିକ୍ ଫିଡ଼ବ୍ୟାକ ଦେବା ସିଡିପିଓମାନଙ୍କ ଦାୟିତ୍ୱ।
ଉପମୁଖ୍ୟମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି, “ଖାଦ୍ୟ ବିତରଣ ଠିକ୍ ଭାବେ ନ ହେଲେ ଦାୟୀ ରହିବେ ସିଡିପିଓ। ସବୁ ଦେଖି ଚୁପ୍ ରହିଲେ ବିଭାଗ ନିନ୍ଦିତ ହେବ। ମୁଁ ଆଶା କରୁଛି, ସରକାର ବଦଳିବା ପରେ ଆପଣମାନେ ମଧ୍ୟ ମାନସିକତାରେ ପରିବର୍ତ୍ତନ ଆଣିଛନ୍ତି।” ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, “ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜସ୍ୱ ଘର ଦିଆଯିବ ଯେଉଁଠି ପାଣି ଓ ବିଜୁଳି ବ୍ୟବସ୍ଥା ମଧ୍ୟ ରହିବ। ସିଡିପିଓମାନେ ନିଜ ଅଞ୍ଚଳର ଅଙ୍ଗନବାଡ଼ିକୁ AWESOME ବନେଇବା ଦିଗରେ ପଦକ୍ଷେପ ନିଅନ୍ତୁ।”
ସେ ସମ୍ପ୍ରତି ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, “ପ୍ରତି ଛଅ ମାସରେ ଥରେ ପ୍ରତିଟି ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିବା ଅନିବାର୍ଯ୍ୟ। ଏଥିରେ ଯଥେଷ୍ଟ ଗମ୍ଭୀରତା ରଖି କାମ କରାଯିବା ଦରକାର।”
