ଓଡ଼ିଶାରେ ଆରମ୍ଭ ହେବ ଅନୁସୂଚିତ ଜାତି-ଜନଜାତି ସଂସଦୀୟ ଜାତୀୟ ସମ୍ମିଳନୀ
ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେବ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଏହି ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ। ୧୯୯୪ ମସିହା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ଆୟୋଜିତ ହେବାକୁ ଯାଉଛି, ଯାହା ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ।
ଏହି ସମ୍ମିଳନୀରେ ସାରା ଦେଶରୁ ଅଧିକରୁ ଅଧିକ ୨୪୦ ଜଣ ପ୍ରତିନିଧି ଯୋଗ ଦେବେ। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିରୁ ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଅଂଶଗ୍ରହଣ କରିବେ। ଏହା ସହ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ଜଣ ସଦସ୍ୟ ମଧ୍ୟ ଯୋଗ ଦେବେ। ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଏହି ସମ୍ମିଳନୀର ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ।
ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ହେଉଛି ‘ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା’। ଏହି ବିଷୟରେ ବିସ୍ତୃତ ଆଲୋଚନା ହେବ ଏବଂ ବିଭିନ୍ନ ରାଜ୍ୟର ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ଉନ୍ନୟନ ସଂପର୍କିତ ପଦକ୍ଷେପଗୁଡ଼ିକର ଉପସ୍ଥାପନ କରାଯିବ। ଉଦଯାପନୀ ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସମେତ ରାଜ୍ୟ ମନ୍ତ୍ରୀମାନେ ଉଦବୋଧନ ଦେବେ।
ଏହି ସମ୍ମିଳନୀ ଲୋକସେବା ଭବନର କନଭେନସନ୍ ହଲରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ୩୧ ବର୍ଷ ପରେ ଏହି ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେବା ଦ୍ୱାରା ରାଜ୍ୟର ହସ୍ତଶିଳ୍ପ, କାରିଗରୀ, ସଂସ୍କୃତି ଓ କଳାକୁ ପ୍ରଚାର କରିବା ପାଇଁ ଏକ ପ୍ରଦର୍ଶନୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଦଯାପନୀ ପରେ ପ୍ରତିନିଧିମାନଙ୍କୁ କୋଣାର୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ନିଆଯିବ।
