ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇ ଠକାମିର ଶିକାର ବ୍ୟବସାୟୀ, ହରାଇଲେ ୫୨ ଲକ୍ଷ ଟଙ୍କା

ଅନୁଗୁଳ: ଅଧିକ ଲାଭ ଆଶାରେ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇ ଫସିଛନ୍ତି ଅନୁଗୁଳର ଜଣେ ବ୍ୟବସାୟୀ। ସାଇବର ଠକମାନେ ତାଙ୍କ ପାଖରୁ ୫୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟବସାୟୀ ଏ ନେଇ ଅନୁଗୁଳ ସାଇବର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ଅନୁଗୁଳ ସହରର ଗାନ୍ଧୀମାର୍ଗ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଗତ ମାସରେ ସାମାଜିକ ଗଣମାଧ୍ୟମରେ ବିଶାଖା ଅଗ୍ରୱାଲ ନାମକ ଜଣେ ମହିଳାଙ୍କ ସଂପର୍କରେ ଆସିଥିଲେ। ପରେ ମହିଳା ଓ ତାଙ୍କ ମା’ ଏହି ବ୍ୟକ୍ତିଙ୍କୁ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅଧିକ ଲାଭ ମିଳିବ ବୋଲି ସେମାନେ କହିବା ପରେ ଏହି ବ୍ୟକ୍ତି ସେମାନଙ୍କୁ ଭରସା କରିଥିଲେ। ପରେ ଆର୍‌ଟିଜିଏସ୍‌ ଜରିଆରେ ଗତ ଜୁଲାଇ ୨୯ ତାରିଖରେ ୧ ଲକ୍ଷ ଟଙ୍କା ନିବେଶ କରିଥିଲେ। ପରେ ୩୦ ତାରିଖରେ ତାଙ୍କ ବ୍ୟାଙ୍କ ଖାତାକୁ ୯, ୯୦୦ ଟଙ୍କା ଆସିଥିଲା। ଏହା ପରେ ପର୍ଯ୍ୟାୟକ୍ରମେ ସେ ଏହି ଟ୍ରେଡିଂ ଆପ୍‌ରେ ୩୦ ଲକ୍ଷ ୮୦ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ଯେତେବେଳେ ସେ ଟଙ୍କା ଉଠାଇବାକୁ ଚାହିଁଲେ, ତାଙ୍କୁ ୟୁଜର୍ସ ଫି ପାଇଁ ଆଉ ୨୧ ଲକ୍ଷ ୪୬ ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ତେଣୁ ବାଧ୍ୟ ହୋଇ ସେ ଟଙ୍କା ଜମା କରିଥିଲେ। ଏହା ପରେ ମଧ୍ୟ ତାଙ୍କୁ ମୂଳ ଟଙ୍କା ଉଠାଇବାରେ ସମସ୍ୟା ହୋଇଥିଲା। ଆୟକର ବାବଦରେ ଆଉ ୨୯ ଲକ୍ଷ ଟଙ୍କା ଜମା କରିବାକୁ ଏକ ଚିଠି ଆସିଥିଲା। କିନ୍ତୁ ଏହି ଆୟକର ନୋଟିସ୍‌ ନକଲି ବୋଲି ସେ ସନ୍ଦେହ କରିଥିଲେ। କାରଣ ଏଥିରେ ତାରିଖ କିମ୍ବା ପଞ୍ଜୀକରଣ ନମ୍ବର ନ ଥିଲା। ତେଣୁ ସେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଅନୁଗୁଳ ସାଇବର ଥାନାରେ ଏତଲା ଦେଇଛନ୍ତି।

Leave a Reply

Your email address will not be published. Required fields are marked *