୧୫୦ କେଜି ପିତ୍ତଳ ମେଢ଼ ହେବ ମୁଖ୍ୟ ଆକର୍ଷଣ
ଭୁବନେଶ୍ଵର: ଚାରନାରାୟଣୀ ଯୁବକ ସଂଘ ମଞ୍ଚା ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ଅତି ଆଡ଼ମ୍ବର ଓ ଉତ୍ସାହରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କମିଟିର ୩୫ତମ ବର୍ଷ ପାଳନ ଅବସରରେ ଏକ ନୂତନ ଓ ଅଭିନବ ଉଦ୍ୟମ ଭାବେ କଟକ ସହରର ପ୍ରସିଦ୍ଧ ତାରକସୀ କାରୀଗରମାନଙ୍କ ଦ୍ୱାରା ୧୫୦ କେଜି ଓଜନର ଏକ ପିତ୍ତଳ ମେଢ଼ ନିର୍ମାଣ କରାଯାଇଛି, ଯାହା ରାଜଧାନୀର ପ୍ରଥମ ପିତ୍ତଳ ମେଢ଼ ଭାବେ ମୁଖ୍ୟ ଆକର୍ଷଣ ହେବ।
ଏହି ପୂଜା ପାଇଁ ବଜେଟ ୭ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରାୟ ୨୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୫୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଏହା ସହ, ଭଷାଣୀ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଭେଙ୍କେଣ୍ଟେଶ୍ୱର ବ୍ରାସ୍ ବ୍ୟାଣ୍ଡ, ବଲାଙ୍ଗୀରର ଘଣ୍ଟବାଦ୍ୟ ଏବଂ ପାରମ୍ପରିକ ଲୋକ ନୃତ୍ୟର ଆୟୋଜନ କରାଯାଇଛି।
ଏହି ସୂଚନା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି, ଯେଉଁଠାରେ କମିଟିର ପ୍ରମୁଖ ସଦସ୍ୟ ପ୍ରଶାନ୍ତ ସମର୍ଥା, ଚିତ୍ତରଞ୍ଜନ ନାୟକ, ଶିଶିର ସମର୍ଥା, ସୁବାଷ ବାରିକ, ଦିଲିପ୍ କୁମାର ବେହେରା, ଶ୍ରୀଜିତ୍ ବେହେରା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
