ଡିସେମ୍ବର ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଯୁବ ମହୋତ୍ସବର ଆୟୋଜନ କରାଯାଉଛି

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟ ଯୁବ ମହୋତ୍ସବର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଅନୁଷ୍ଠିତ ହୋଇଥିବା ଲୋକନୃତ୍ୟ ଓ ବକ୍ତୃତା ପ୍ରତିଯୋଗିତାରେ ଉପସ୍ଥିତ ରହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଏଥିସହ ମନ୍ତ୍ରୀ ଶ୍ରୀ ସୂରଜ ବିଜ୍ଞାନ ମେଳା ବୁଲି ଦେଖିବା ସହ ବିଜ୍ଞାନ ମେଳାରେ ସ୍ଥାନିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କ ଠାରୁ ପଚାରି ବୁଝିଥିଲେ।

ରାଜ୍ୟ ଯୁବ ମହୋତ୍ସବରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ରହିଥିବା ଆଗ୍ରହ ଓ ଉତ୍ସାହକୁ ଦେଖି ମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ସମସ୍ତ ପ୍ରତିଯୋଗୀମାନଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ। ରାଜ୍ୟ ଯୁବ ମହୋତ୍ସବ କେବଳ ପ୍ରତିଭାର ବିକାଶ ନୁହେଁ ବରଂ ଯୁବ ନେତୃତ୍ୱ ବିକାଶ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ଡିସେମ୍ବର ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଯୁବ ମହୋତ୍ସବର ଆୟୋଜନ କରାଯାଉଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮୦୦ରୁ ଉର୍ଦ୍ଧ୍ୱ ପ୍ରତିଭାବାନ ଯୁବକ ଓ ଯୁବତୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ରାଜ୍ୟ ଯୁବ ମହୋତ୍ସବର କୃତୀ ପ୍ରତିଭାମାନେ ଆଗାମୀ ଦିନରେ ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା “ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ”ରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ।

Leave a Reply

Your email address will not be published. Required fields are marked *