ବିଜେଡିର ଉତ୍ତରାଧିକାରୀ ସୁଜାତା କାର୍ତ୍ତିକେୟନ!

ନବୀନ ପଟନାୟକ କାହାକୁ ଉତ୍ତରାଧିକାରୀ ବାଛିବେ, କାହାକୁ ବିଜେଡି ର ଗୁରୁଦାୟିତ୍ୱ ଦେବେ, କାହାକୁ ସମସ୍ତ ଚାବିକାଠି ପ୍ରଦାନ କରିବେ ତାହା ଏବେ ସବୁଠୁ ବେଶ ଚର୍ଚ୍ଚା…. କାରଣ ବିଜେଡି ପାଇଁ କିଏ ଉପଯୁକ୍ତ ଯିଏ କି ସମସ୍ତ ରାଜନୀତି ର ପରିଭାଷା କୁ ଠିକ ଭାବରେ ବୁଝି ଦଳର ସଂଗଠନ କୁ ସୁଦୃଢ ରଖିବ ତାହା କୁ ନେଇ ନବୀନ ଙ୍କ ମନରେ ଚାଲିଛି ଚକାପାଞ୍ଝା…. ତେବେ ଏସବୁ ଭିତରେ ଗୋଟିଏ କଥା ଏବେ ପ୍ରସଙ୍ଗ ପାଲଟିବା ସହିତ ଖୁବ ବିବାଦ ମଧ୍ୟ୍ୟ ହଉଛି ତାହା ହେଉଛି କୁଆଡେ ସୁଜାତା କାର୍ତ୍ତିକେୟନ ଧରିବେ ବିଜେଡି ମଙ୍ଗ… ଯେମିତି ସମସ୍ତେ ଜାଣିଛନ୍ତି ବିଜେଡିର ଅବସ୍ଥା ଅସମ୍ଭାଳ । ଏହି ସମୟରେ ଦଳକୁ ସମ୍ଭାଳିବା ଦାୟିତ୍ୱ କାହାକୁ ଦେବେ ତାହାକୁ ନେଇ ଚର୍ଚ୍ଚା ଆଲୋଚନା । ଏହା ସ୍ପଷ୍ଟ ଯେ ଦଳର କୌଣସି ନେତାଙ୍କ ଉପରେ ନବୀନ ଏ ପର୍ଯ୍ୟନ୍ତ ବିଶ୍ୱାସ କି ଭରସା କରିପାରିନାହାନ୍ତି । ଜଣେ ବି ନେତା ନିଜ ବଳରେ ବଳୀୟାନ ହୋଇ ଓଡ଼ିଶାବାସୀଙ୍କର ଆସ୍ଥାଭାଜନ ହୋଇନାହାନ୍ତି । ଅତୀତରେ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମାଙ୍କ ଭଳି ଯୁବନେତାଙ୍କୁ ପ୍ୟାରୀବାବୁ ଯଥେଷ୍ଟ ସୁଯୋଗ ଦେଇଥିଲେ । ବିଜେଡିର ସେମାନେ ପରବର୍ତ୍ତୀ ପୀଢ଼ି ବୋଲି ବିଚାର କରାଯାଉଥିଲା । ନବୀନ ବାବୁଙ୍କର ମଧ୍ୟ ସେମାନଙ୍କ ପ୍ରତି ଯଥେଷ୍ଟ ଶୁଭଦୃଷ୍ଟି ଥିଲା । ମାତ୍ର ସେମାନେ ନିଜର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାରୁ ଲୋକଙ୍କର ବିଶ୍ୱାସଭାଜନ ହୋଇପାରିନାହାନ୍ତି ।
ପରବର୍ତ୍ତୀ ସମୟରେ ବବି ଦାସଙ୍କ ଭଳି ଯୁବନେତାଙ୍କ ଉପରେ ନବୀନ ବାବୁ ଆଶୀର୍ବାଦ ଢ଼ାଳି ଦେଇଥିଲେ । ମାତ୍ର ସେ ସଦବିନିଯୋଗ କରିପାରିଲେ ନାହିଁ । ଅର୍ଥ ଓ କ୍ଷମତାବଳର ଔଦ୍ଧତ୍ୟ ଓ ଅହଂକାର ତାଙ୍କୁ ଖାଇଦେଲା । ସମସ୍ତଙ୍କୁ ସମ୍ମାନ ଓ ସାଙ୍ଗରେ ନେଇ ସଂଗଠନ ମଜବୁତ କରିବା ବଦଳରେ ଚେରକଟା ରାଜନୀତି କଲେ ।

ଏବେ ବିଜେଡିର ଉତ୍ତରାଧିକାରୀ ଭାବେ ସୁଜାତା କାର୍ତ୍ତିକେୟନ୍ ଙ୍କ ନାଁ ଚର୍ଚ୍ଚା ହେବା ପରେ ଏହି ସବୁ ନେତା ଭୀଷଣ ବିଚଳିତ । କାରଣ ସୁଜାତା ଏମାନଙ୍କୁ ହାଡ଼େ ହାଡ଼େ ଚିହ୍ନିଛନ୍ତି । ଡ଼ହରା ନେତାଙ୍କୁ ସେ ପସନ୍ଦ କରନ୍ତି ନାହିଁ ବୋଲି ଏମାନଙ୍କୁ ଭଲଭାବେ ଜଣା । ଏପରିକି ତାଙ୍କ ସ୍ୱାମୀଙ୍କ ଭୁଲ୍ କୁ ବି ସେ ବରଦାସ୍ତ କରନ୍ତି ନାହିଁ । ସିଏ ଆସିଲେ ପାଣ୍ଡିଆନଙ୍କ ଅନୁଗାମୀଙ୍କ ସ୍ଥିତି ବିପନ୍ନ ହେବା ନିଶ୍ଚିତ ବୋଲି କୁହାଯାଉଛି ।
ବିଜେଡିର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର । ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ତାଙ୍କ ୟୁଟ୍ୟୁବ୍ ଚାନେଲ୍ ରେ ଏ ନେଇ ଏକ ସୁଦୀର୍ଘ ଓ ସମୟୋପଯୋଗୀ ବିଶ୍ଲେଷଣ କରିଛନ୍ତି । ନବୀନଙ୍କ ପାଇଁ ବିଜେଡ଼ିର ଉତ୍ତରାଧିକାରୀ ଭାବେ ସୁଜାତା କାର୍ତ୍ତିକେୟନ୍ ଏକମାତ୍ର ଉପଯୋଗୀ ବିକଳ୍ପ ବୋଲି ତାଙ୍କ ଅନୁଶୀଳନ କହୁଛି । ପ୍ରଥମତଃ ସେ ଜଣେ ପୂର୍ବତନ ପ୍ରଶାସିକା । ତାଙ୍କର ଦକ୍ଷତା, ବିଶ୍ୱନୀୟତା ଉପରେ ନବୀନଙ୍କର ସନ୍ଦେହ ନାହିଁ । ଅତୀତରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ବିଜେଡିର ମହିଳା ଭୋଟ ବ୍ୟାଙ୍କ ଉପରେ ତାଙ୍କର ଅଖଣ୍ଡ ପ୍ରଭାବ ଥିଲା । ବିଜେଡିର ସଂଗଠନକୁ ସେ ଭଲ ଭାବରେ ବୁଝିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପି ହାଇକମାଣ୍ଡଙ୍କ ସହ ସମ୍ପର୍କ ରକ୍ଷା କରିବାର ଯୋଗ୍ୟତା ଓ ଦକ୍ଷତା ସୁଜାତାଙ୍କ ପାଖରେ ଅଛି । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ବିଜେଡିର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏହା ଅବଶ୍ୟମ୍ଭାବୀ ।

Leave a Reply

Your email address will not be published. Required fields are marked *