ଜନସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ରେ ତୃଣମୂଳ ସ୍ତରୀୟ ତଦାରଖ ପାଇଁ ଯୋଜନା କରୁଛି ବି.ଏମ୍.ସି
ଭେକ୍ଟର-ବାହିତ ଏବଂ ଜଳ-ବାହିତ ରୋଗର ରୋଗ ନିରୀକ୍ଷଣ, ମହାମାରୀ ପ୍ରସ୍ତୁତି, ଗୋଷ୍ଠୀ ସହଭାଗୀତା ଏବଂ ପ ସହରାଞ୍ଚଳ ପରିମଳ କୁ ଗୁରୁତ୍ଵ ଦେଇ ଆଜି ଏକ ସମୀକ୍ଷା -ତାଲିମ କାର୍ଯ୍ୟକ୍ରମ BMC, ICOMC ଟାୱାରର ଏକାମ୍ର ହଲ୍ରେ ଅନୁଷ୍ଠିତ ହୋଇଥିଲା। BMC ସୀମା ମଧ୍ୟରେ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମାନନୀୟl ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ମଞ୍ଚାସୀନ ଥିଲେ। ସମାବେଶକୁ ସମ୍ବୋଧିତ କରି, ମେୟର ସହରାଞ୍ଚଳରେ ରୋଗ ପ୍ରକୋପ ରୋକିବା ପାଇଁ ସମନ୍ୱିତ ଏବଂ ନିରନ୍ତର କ୍ଷେତ୍ରସ୍ତରୀୟ ପ୍ରୟାସକୁ ଗୁରୁତ୍ବ ଦେଇଥିଲେ ଏବଂ ଆଗଧାଡ଼ିର କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ଖାଦ୍ୟ ବାହିତ ରୋଗ ସଚେତନତା କାର୍ଯ୍ୟକ୍ରମ କରିବାକୁ ମଧ୍ୟ କହିଥିଲେ। ଅତିରିକ୍ତ କମିଶନର, BMC ଯାହାଙ୍କ ମାର୍ଗଦର୍ଶନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ସେ କହିଥିଲେ ଯେ ପ୍ରଭାବଶାଳୀ ସମନ୍ୱୟ, ସମୟୋଚିତ୍ତ କାର୍ଯ୍ୟ ଏବଂ ଗୋଷ୍ଠୀ ଅଂଶଗ୍ରହଣ ରୋଗ ପ୍ରତିରୋଧର ପ୍ରମୁଖ ଆୟୁଧ, ଏବଂ ସାମୂହିକ ପ୍ରୟାସ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ଉଲ୍ଲେଖ କରିଥିଲେ।
ଏହି ବୈଠକଟି ଓଡିଶାର ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ-କମ୍-ନୋଡାଲ୍ ଅଫିସର, UMSU, ଡକ୍ଟର ପ୍ରମିଳା ବରାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା, ଯିଏ ସମୟୋଚିତ ରୋଗ ନିରୀକ୍ଷଣ, ତୁରନ୍ତ ରିପୋର୍ଟିଂ ବା ସୂଚନା ଏବଂ ସକ୍ରିୟ ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବତନ ଏଣ୍ଟେମୋଲୋଜିଷ୍ଟ ଦିପ୍ତୀରଞ୍ଜନ ମହାପାତ୍ର ଭେକ୍ଟର ନିୟନ୍ତ୍ରଣ, ଉତ୍ସ ହ୍ରାସ ଏବଂ ରୋଗ ନିବାରଣ ରଣନୀତି ଉପରେ ବୈଷୟିକ ଆଲୋଚନାମାନ କରିଥିଲେ। ଭେକ୍ଟର-ବାହିତ ରୋଗ ହ୍ରାସ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ଅଧିକ ରୋଗ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଏକ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା। ଆଶା, ସାନିଟାରୀ ଇନ୍ସପେକ୍ଟର ଏବଂ ସ୍ୱଚ୍ଛ ସାଥୀ, ପର୍ଯ୍ୟବେକ୍ଷକଙ୍କ ସମେତ UMSU ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ମୋଟ 459 ଜଣ ଅଂଶଗ୍ରହଣକାରୀ ତାଲିମ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।
