ବିଧାୟକଙ୍କ ଦରମାକୁ ନେଇ ଅଡ଼ୁଆରେ ଶାସକ ଦଳ, କେନ୍ଦ୍ରୀୟ ନେତୃତ୍ୱ ଅସନ୍ତୁଷ୍ଟ l

ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ନେଇ ଅସନ୍ତୁଷ୍ଟ କେନ୍ଦ୍ରୀୟ ନେତୃତ୍ୱ… ବିଧାୟକ ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉପରେ ପୁଣିଥରେ ହବ ପୁନର୍ବିଚାର… ଏକାଥରେ ତିନି ଗୁଣା ଦରମା ଓ ଭତ୍ତା ବୃଦ୍ଧିକୁ ସହଜରେ ଗ୍ରହଣ କରିନାହାନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ। ୧୦ ଦିନ ତଳେ ଯେଉଁ ବିଧାୟକମାନେ ବିଧାନସଭାରେ ଦରମା ବୃଦ୍ଧି ବିଲ୍‌କୁ ଟେବୁଲ୍‌ ବାଡ଼େଇ ସମର୍ଥନକରିଥିଲେ, ସେହିମାନେ ଆଜି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଗତ ୯ ତାରିଖରେ ବିଧାୟକ, ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ସରକାରୀ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକଙ୍କ ଦରମା, ଭତ୍ତା ଓ ପେନ୍‌ସନ୍ ବୃଦ୍ଧି ବାବଦକୁ ତିନିଟି ବିଲ୍‌ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଆଣିଥିଲେ। ଦରମା ବୃଦ୍ଧି ନେଇ ଯୁକ୍ତି ବାଢ଼ିଥିଲେ ଯେ ବିଧାୟକମାନଙ୍କର ଦରମା ଶେଷ ଥର ପାଇଁ ୨୦୧୭ରେ ସଂଶୋଧନ ହୋଇଥିଲା। ଏହା ଭିତରେ ସଂସଦର ସଦସ୍ୟ ଏବଂ ଅନ୍ୟ ରାଜ୍ୟର ବିଧାୟକମାନଙ୍କର ଦରମା ସଂଶୋଧିତ ହୋଇ ବହୁ ଗୁଣା ବଢ଼ିଛି। ଦରମା ଓ ପେନ୍‌ସନ୍ ବୃଦ୍ଧି ପାଇଁ ବିଧାୟକ ଓ ପୂର୍ବତନ ବିଧାୟକମାନେ ବହୁବାର ଅନୁରୋଧ କରି ଆସୁଥିଲେ। ଏହାକୁ ନଜରରେ ରଖି ଦରମା ବଢ଼ାଯାଇଛି। ଏହି ସଂଶୋଧିତ ନିୟମ ଦ୍ବାରା ଏଣିକି ବିଧାୟକ ଏବଂ ଅନ୍ୟମାନଙ୍କର ଦରମା ପ୍ରତି ୫ ବର୍ଷରେ ଥରେ ବଢ଼ିବ। ସରକାରଙ୍କ ଏହି ବିଲ୍‌ ଉପରେ ତିନି ଦଳର ବିଧାୟକ ପୂରା ଖୁସିରେ ସହମତ ହୋଇଥିଲେ। କୌଣସି ଏକ ପ୍ରସଙ୍ଗରେ ତିନି ଦଳର ସ୍ବର ଏକ ହେବା ଥିଲା ଏକ ବିରଳ ବ୍ୟତିକ୍ରମ।
ତେବେ ଦରମା ଓ ପେନ୍‌ସନ୍‌ରେ ଏକାଥରେ ତିନି ଗୁଣା ବୃଦ୍ଧିକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଥିଲା। ଓଡ଼ିଶା ପରି ଏକ ପଛୁଆ ରାଜ୍ୟରେ ଜନପ୍ରତିନିଧିମାନଙ୍କର ଦରମା ଓ ଭତ୍ତାରେ ଅହେତୁକ ବୃଦ୍ଧି ଯଥାର୍ଥ ନୁହେଁ ବୋଲି ବହୁ ସଚେତନ ନାଗରିକ ଯୁକ୍ତି ବାଢ଼ିଥିଲେ। ସାମାଜିକ ଗଣମାଧ୍ୟମରେ ସରକାରଙ୍କ ବିରୋଧରେ ଜୋର୍‌ଦାର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। କିନ୍ତୁ ବିଜେପିର ବିଧାୟକମାନେ ଏହି ଦରମା ବୃଦ୍ଧି ସପକ୍ଷରେ ଗଣମାଧ୍ୟମରେ ଯୁକ୍ତି ବାଢ଼ିଥିଲେ। ଶାସକ ଦଳର ବରିଷ୍ଠ ବିଧାୟକମାନେ ଲଗାତାର ଭାବେ ଗଣମାଧ୍ୟମରେ ନିଷ୍ପତ୍ତି ସପକ୍ଷରେ କହି ଚାଲିଥିଲେ। ବିଜେପି କେନ୍ଦ୍ରୀୟ ନେତୃତ୍ବ ଏ ସମ୍ପର୍କରେ ଜାଣିବା ପରେ ରାଜ୍ୟ ନେତୃତ୍ବ ଓ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସାଂସଦମାନଙ୍କର ଦରମା ଏବେବି ୩ ଲକ୍ଷ ଟପିନଥିବା ବେଳେ ବିଜେପି ଶାସିତ ରାଜ୍ୟରେ ବିଧାୟକମାନଙ୍କର ଦରମା ଏହାଠାରୁ ବହୁତ ଅଧିକ ହେବା ଗ୍ରହଣୀୟ ନୁହେଁ ବୋଲି ଶୀର୍ଷ ସ୍ତରରେ ମତପ୍ରକାଶ ପାଇଥିଲା। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ ବେଳେ ଶୀର୍ଷ ନେତୃତ୍ବ ତାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ଅସନ୍ତୋଷ ଜଣା‌ଇଥିଲେ। ଏହା ଦ୍ବାରା ଏକ ଭୁଲ ବାର୍ତ୍ତା ଯାଉଛି ବୋଲି ରାଜ୍ୟ ନେତୃତ୍ବଙ୍କୁ ଜଣାଇ ଦିଆଯାଇଥିଲା।
ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି…

ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକମାନଙ୍କର ବୈଠକ ଡକାଯାଇଥିଲା। ସେଠାରେ ବିଧାୟକମାନେ ପୂର୍ବ ଲିଖିତ ସ୍ମାରକପତ୍ରକୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେବେ ଏ ସମ୍ପର୍କରେ ବିଧାୟକମାନେ ଗଣମାଧ୍ୟମରେ ଅଧିକ ବୟାନବାଜି ନକରିବା ପାଇଁ ତାଗିଦ କରାଯାଇଛି। ବର୍ଦ୍ଧିତ ଦରମା ନିଶ୍ଚିତ କମିବ ବୋଲି ସେମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ପ୍ରସଙ୍ଗରେ ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଏକ ବିଧେୟକ ଗୃହୀତ ହୋଇଥିଲା। ଆଜି ଏ ସମ୍ବନ୍ଧରେ ବିଧାୟକମାନଙ୍କର ଏକ ବୈଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା। ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଯଦିଓ ଆଜି ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଶାସକ ଦଳର ବିଧାୟକମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି, ତେବେ ଏହା ଉପରେ ସରକାରୀ ପ୍ରକ୍ରିୟା କିଛି ଆରମ୍ଭ ହୋଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ବିଧାନସଭାରେ ପାରିତ ହୋଇଥିବା ତିନିଟି ବିଲ୍‌ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଏ ଯାଏଁ ଯାଇନାହିଁ। ତେଣୁ ସରକାର ବିଲ୍‌ ତିନିଟି ଆଉ ନ ପଠାଇବାର ସମ୍ଭାବନା ରହିଛି। ଯଦି ବି ରାଜ୍ୟପାଳଙ୍କ ପାଖକୁ ଯାଏ, ତେବେ ରାଜ୍ୟପାଳ ବିଲ୍‌ଟି ପୁନର୍ବିଚାର ପାଇଁ ଫେରାଇଦେବେ। ଯଦି ବିଲ୍‌ ଉପରେ ସଂଶୋଧନ କରାଯାଇ ଦରମା ପରିମାଣ କମାଯିବ, ତେବେ ବଜେଟ ଅଧିବେଶନରେ ସଂଶୋଧନ ପ୍ରସ୍ତାବ ଆସିପାରେ। ଏ ସମ୍ପର୍କରେ ସରକାରୀ ଭାବେ କିଛି ସ୍ପଷ୍ଟ ସୂଚନା ଆସି ନାହିଁ।
ଅପରପକ୍ଷରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିସେମ୍ବର ୧୩ରେ ଦରମା ଓ ଭତ୍ତା ବୃଦ୍ଧି ବାବଦକୁ ମିଳିବାକୁ ଥିବା ଅର୍ଥ ନେବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଏହି ଅର୍ଥକୁ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ଅନୁରୋଧ କରିଥିଲେ। ଯାହାକୁ ନେଇ ଶାସକ ଦଳ ମଧ୍ୟ ଅକଳରେ ପଡ଼ିଥିଲେ।

Leave a Reply

Your email address will not be published. Required fields are marked *