ନୀତିଶଙ୍କର ହୋଇଛି ନୈତିକ ସ୍ଖଳନ , ହରାଇ ବସିଛନ୍ତି ମାନସିକ ସନ୍ତୁଳନ
ନୀତିଶଙ୍କର ହୋଇଛି ନୈତିକ ସ୍ଖଳନ । ହରାଇ ବସିଛନ୍ତି ମାନସିକ ସନ୍ତୁଳନ ।ମହିଳା ଡାକ୍ତରଙ୍କ ହିଜାବ ଟାଣିବା ଘଟଣା ଏବେ ସାରାଦେଶରେ ଚହଳ ପକାଇଛି । ମୁଖ୍ୟମନ୍ତ୍ରୀ ହୋଇ ନିଜର ନୀତି ନୈତିକତା କେମିତି ଭୁଲିଗଲେ ନୀତିଶ ସେନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନବାଚୀ । ତେବେ ଗତ ପନ୍ଦର ଡିସେମ୍ବରରେ ବିହାରରେ ଆୟୁଷ ଡାକ୍ତରଙ୍କୁ ଦିଆଯାଉଥିଲା ନିଯୁକ୍ତି ପତ୍ର। ମୁଖ୍ୟମନ୍ତ୍ରୀ ସଚିବାଳୟରେ 1283 ନବନିଯୁକ୍ତ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଥିଲେ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ମଧ୍ୟ ହେଉଥିଲା । ତାରି ଭିତରେ ଘଟିଥିଲା ଏହି ଘଟଣା । ଯାହା ନୀତିଶଙ୍କ ନୀତି ନୈତିକତାକୁ ନେଇ ପ୍ରଶ୍ନବାଚୀ ଛିଡା କରିଛି । ଜଣେ ମହିଳା ଆୟୁଷ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଦେବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜଣେ ମୁସଲିମ ମହିଳା ଡାକ୍ତରଙ୍କର ହିଜାବ ଟାଣି ହସୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଜବରଦସ୍ତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହିଳାଙ୍କର ହିଯାବ ଟାଣୁଛନ୍ତି ଯାହାକୁ ନେଇ ଏବେ ବିରୋଧୀ ଘେରିଛନ୍ତି ଏବଂ ମହିଳା ସମ୍ମାନକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି । ଉତ୍ତରପ୍ରଦେଶର ସାଂସଦ ଜିୟା ଉର ରହମାନ ବର୍କ ଏହାକୁ ଦୃଢ଼ ନିନ୍ଦା କରିବା ସାଙ୍ଗକୁ ନୀତିଶ କ୍ଷମା ମାଗିବା ଉଚିତ ବୋଲି ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ସେ ଆହୁରି ବି କହିଛନ୍ତି ସାମ୍ବିଧାନିକ ପଦବୀରେ ରହି ସର୍ବସାଧାରଣରେ ଜଣେ ମହିଳାଙ୍କ ଧାର୍ମିକ ପରିଚୟ ନଷ୍ଟ କରିବାର ପ୍ରୟାସ କରିଛନ୍ତି ନୀତିଶ । କେବଳ ସେତିକି ନୁହେଁ ନୀତିଶଙ୍କ ସମର୍ଥନରେ ବାହାରି ହରଡ଼ଘଣାରେ ପଡିଛନ୍ତି ଉତ୍ତରପ୍ରଦେଶ ମନ୍ତ୍ରୀ ସଂଜୟ ନିଶାଦ । ସଞ୍ଜୟ ନିଶାଦ କହିଛନ୍ତି ଏଥିରେ କୌଣସି ଭୁଲ ନାହିଁ ନୀତିଶ କେବଳ ମହିଳାଙ୍କର ହିଯାବ ଟାଣି ମୁହଁକୁ ଛୁଇଁଛନ୍ତି ଏଥିରେ କୌଣସି ସମସ୍ୟା ନାହିଁ । ଯାହାକୁ ବିରୋଧ କରି ଉଭୟ ନୀତିଶ କୁମାର ଏବଂ ସଞ୍ଜୟ ନିଶାଦଙ୍କ ବିରୋଧରେ ସମାଜବାଦୀ ପାର୍ଟି ନେତା ସୁମଇୟା ରାଣା ନିଜ ଓକିଲଙ୍କ ସହ ଯାଇ ଥାନାରେ fir ମଧ୍ୟ ଦେଇଛନ୍ତି । ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ବୟାନବାଜି ଚାଲିଥିବା ବେଳେ ବୁଦ୍ଧିଜୀବୀ ମହଲରେ ନୀତିଶଙ୍କ ଏହି କାର୍ଯ୍ୟକଳାପକୁ ନିନ୍ଦା କରାଯାଉଛି । ହିନ୍ଦୁ ମହିଳାଙ୍କର ଓଢଣା ଯଦି କେହି ମୁସଲିମ ଟାଣିଥାନ୍ତେ ତେବେ ନିଶ୍ଚିତ ଦଙ୍ଗା ପରିସ୍ଥିତି ସୃଷ୍ଟି ହୁଅନ୍ତା । ଅଥଚ ଏହି ମହିଳାଙ୍କର ଅପମାନ ମୁଖ୍ୟମନ୍ତ୍ରୀ କେମିତି କଲେ ବୋଲି ପ୍ରଶ୍ନ ଉଠୁଛି । ବହୁବାର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର ପୂର୍ବରୁ ମଧ୍ୟ ଗର୍ଭନିରୋଧକୁ ନେଇ ଏକ ବିବୃତି ଦେଇ ଅପବାଦ ମୁଣ୍ଡାଇଥିଲେ। ତେଣୁ ନିଜର ନୀତି ନୈତିକତା ଭୁଲି ଜଣେ ମୁସଲିମ ମହିଳା ଡାକ୍ତରଙ୍କୁ ଅପମାନ ଦେଇଥିବାରୁ ତାଙ୍କୁ କ୍ଷମା ମାଗନ୍ତୁ ବୋଲି କୁହାଯାଉଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ନା ଦଳ ପକ୍ଷରୁ କୌଣସି କ୍ଷମା ପ୍ରାର୍ଥନାର ବିବୃତି ସାମ୍ନାକୁ ଆସିଛି ନା ନୀତିଶ ନିଜେ କ୍ଷମା ପ୍ରାର୍ଥନା କରିଛନ୍ତି ।
