ରାଜ୍ୟରେ ଧାନ ସଂଗ୍ରହ ନେଇ ମନ୍ତ୍ରୀଙ୍କ ସମୀକ୍ଷା

ବର୍ତ୍ତମାନ ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଏହାକୁ ଶୃଙ୍ଖଳିତ ଓ ସୁସଂଗଠିତ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରସ୍ତୁତି, ବର୍ତ୍ତମାନର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାର ଯୋଗାଣ ଅଧିକାରୀମାନେ ଯୋଗ ଦେଇଥିଲେ ।

ବୈଠକ ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ରାଜ୍ୟରେ ଧାନକିଣା ସମ୍ପର୍କରେ ଅବଗତ କରାଇଥିଲେ । ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ ଓ ଟୋକନ ପ୍ରଦାନ ଉପରେ ବୈଠକରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଧାନ ସଂଗ୍ରହ ଜାରି ରହଛି । ପର୍ଯ୍ୟାୟକ୍ରମେ ସ୍ଥାନୀୟ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ । ଏତଦ୍‌ବ୍ୟତୀତ ପିସି-ସାପ୍‌ ଆପ୍‌ ମାଧ୍ୟମରେ ମଣ୍ଡିରେ ଉପଲବ୍ଧ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଅପ୍‌ଲୋଡ୍‌ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । କୌଣସି ଯୋଗ୍ୟ ଚାଷୀ ଯେଭଳି ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ ନପଡ଼ନ୍ତି ଏହା ଉପରେ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ ।ଏତଦ୍‌ବ୍ୟତୀତ ପ୍ରତ୍ୟେକ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ, ଅସ୍ଥାୟୀ ଆଶ୍ରୟସ୍ଥଳୀ ଓ ସିସିଟିଭି ବ୍ୟବସ୍ଥା କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଏଥିସହ ମଣ୍ଡି ନୋଡାଲ ଅଧିକାରୀ ଓ ସୁପରଭାଇଜିଂ ଅଧିକାରୀ ନିୟୋଜିତ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି । ସେହିଭଳି ମଣ୍ଡି ମନିଟରିଂ ସିଷ୍ଟମ୍‌ ଆପ୍‌ ବ୍ୟବହାର କରି ସଂପୃକ୍ତ ତଥ୍ୟ ଉପଲବ୍ଧ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ
ଦିଆଯାଇଛି । ବାହାର ରାଜ୍ୟର ଧାନ ଯେଭଳି ରାଜ୍ୟ ମଧ୍ୟକୁ ନ ଆସେ ସୀମାନ୍ତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି ନଜର ରଖାଯାଉଛି । ମଣ୍ଡିରୁ ମିଲ୍‌କୁ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ତୀକ୍ଷ୍‌ଣ ନଜର ରଖିବାର ବ୍ୟବସ୍ଥା କରାଯାଇଛି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *