ସହରାଞ୍ଚଳ ହେବ ଗର୍ତ୍ତମୁକ୍ତ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା

ଭୁବନେଶ୍ୱର: ରାଜ୍ୟର ସମସ୍ତ ସହରାଞ୍ଚଳକୁ ଗର୍ତ୍ତମୁକ୍ତ ଓ ମୁକୁଳା ଡ୍ରେନରୁ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟକ୍ଷେତ୍ରରେ ତତ୍ପରତା ଦେଖାଇଛି। ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମକୁ ଚିଠି ଲେଖି ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀଙ୍କୁ ମଧ୍ୟ ଚିଠି ଜାରି କରାଯାଇଛି। ସହରାଞ୍ଚଳର ସମସ୍ତ ରାସ୍ତା ଓ ଏହାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ଆଗାମୀ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଗର୍ତ୍ତମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ୪ ସପ୍ତାହ ମଧ୍ୟରେ ସର୍ଭେ କରି ଖାଲଖମା ଥିବା ରାସ୍ତା ଚିହ୍ନଟ କରିବା ସହ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦୁର୍ଘଟଣାପ୍ରବଣ ଅଞ୍ଚଳରେ ମରାମତି କାର୍ଯ୍ୟକୁ ଅଗ୍ରାଧିକାର ଦେବାକୁ କୁହାଯାଇଛି। ସହରୀ ବିକାଶ ଯୋଜନା ଅଧୀନରେ ରାସ୍ତା ଓ ମୁକୁଳା ଡ୍ରେନର ମରାମତି କାର୍ଯ୍ୟ ଦୀର୍ଘସ୍ଥାୟୀ ହେବା ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ଏହି ପଦକ୍ଷେପ ସହରାଞ୍ଚଳର ଭିତ୍ତିଭୂମି ଉନ୍ନତି ଓ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *