ରାତିରେ ଦାଦନ ଚାଲାଣ ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାତିରେ ଷ୍ଟେସନରୁ ଦାଦନ ଚାଲାଣ ହେଉଥିବା ବିଷୟରେ କଟକଣା ଲଗାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରମ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ସମ୍ପର୍କରେ ଶ୍ରମ ବିଭାଗ ସଚିବ ଏବଂ ଶ୍ରମ କମିଶନରଙ୍କୁ ଚିଠି ଲେଖାଯାଇଛି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରୁ ବେଆଇନ ଭାବରେ ଶ୍ରମିକ ଚାଲାଣ ହେଉଥିବା ଖବର ମିଳିଛି। ଠିକାଦାରମାନେ ରେଳ ମାଧ୍ୟମରେ ଅମାନବୀୟ ଅବସ୍ଥାରେ ଶ୍ରମିକମାନଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ଶାରୀରିକ ଓ ଆର୍ଥିକ ଶୋଷଣ କରୁଛନ୍ତି।
ଟିଟଲାଗଡ଼, ମୁରିବାହାଲ, ଲାଥୋର, ରାଇନଭଟା, କଣ୍ଟାବାଞ୍ଜି, ନୂଆପଡ଼ା ଏବଂ ଖରିଆର ରୋଡ୍ ରେଳଷ୍ଟେସନରୁ ଏପରି ଚାଲାଣ ହେଉଥିବା ଚିହ୍ନଟ ହୋଇଛି। ଏହାକୁ ରୋକିବା ପାଇଁ ରେଳ ଷ୍ଟେସନରେ ବିଶେଷ କାର୍ଯ୍ୟଯୋଜନା ଚାଲୁ କରିବାକୁ ନିର୍ଦ୍ଦେଶ ମିଳିଛି। ବିଶେଷତଃ ରାତି ସମୟରେ, ଜିଲ୍ଲା ପ୍ରଶାସନ, ପୋଲିସ ଓ ରେଳ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଶାସନ ସଚିବଙ୍କ ଆଦେଶ।
