ତାମିଲନାଡ଼ୁରେ ଏନଡିଏକୁ ବଡ଼ ଝଟକା: ମେଣ୍ଟରୁ ଓହରିଲେ ଟିଟିଭି ଦିନାକରଣ
ତାମିଲନାଡ଼ୁ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପାଇଁ ବଡ଼ ଝଟକା। ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲଭମ ଏବଂ ଏବେ ଟିଟିଭି ଦିନାକରଣ ମେଣ୍ଟ ଛାଡ଼ି ଚାଲିଯାଇଛନ୍ତି। ଏହି ଦୁଇ ନେତାଙ୍କ ବିଚ୍ଛେଦ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ NDAକୁ ଶକ୍ତ ଧକ୍କା ଦେଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ଛୋଟ ଦଳକୁ ମେଣ୍ଟରେ ସାମିଲ କରିବାକୁ ଚେଷ୍ଟା ଚାଲିଥିଲା। କିଛି ମାସ ତଳେ ଶାହଙ୍କ ଉଦ୍ୟମରେ AIADMK ପୁଣି NDAରେ ସାମିଲ ହୋଇଥିଲା। ମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ପୋଷ୍ୟ ପୁତ୍ର ତଥା ପ୍ରଭାବଶାଳୀ ନେତା ଟିଟିଭି ଦିନାକରଣଙ୍କୁ NDA ଧରି ରଖିବାରେ ସଫଳ ହୋଇପାରିନାହିଁ। ପନ୍ନୀରସେଲଭମଙ୍କ ମେଣ୍ଟ ତ୍ୟାଗ କରିବାର ମାସେ ପରେ ଦିନାକରଣ ମଧ୍ୟ ସେହି ପଥ ଅନୁସରଣ କରିଛନ୍ତି।
ଗତ ଲୋକସଭା ନିର୍ବାଚନ ସମୟରେ ଏହି ଦୁଇ ନେତା NDA ମେଣ୍ଟରେ ଥିଲେ, କିନ୍ତୁ AIADMK ସେତେବେଳେ ମେଣ୍ଟ ବାହାରେ ଥିଲା। ଏବେ ଦିନାକରଣ ଓ ପନ୍ନୀରସେଲଭମଙ୍କ ବିଚ୍ଛେଦ ତାମିଲନାଡ଼ୁର ରାଜନୈତିକ ପରିସ୍ଥିତିକୁ ପ୍ରଭାବିତ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହା ଆଗାମୀ ବିଧାନସଭା ନିର୍ବାଚନରେ NDAର ରଣନୀତି ଉପରେ କ’ଣ ପ୍ରଭାବ ପକାଇବ, ତାହା ଦେଖିବାକୁ ବାକି ରହିଲା।
