ଜିଏସଟି କାଉନସିଲର ଐତିହାସିକ ନିଷ୍ପତ୍ତି: ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ, ବିଳାସପୂର୍ଣ୍ଣ ଜିନିଷ ଉପରେ ୪୦% ଜିଏସଟି
ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୬ତମ ବୈଠକରେ ଦେଶର ଅର୍ଥନୀତି ଓ ସାଧାରଣ ଜନତାଙ୍କୁ ଲାଭ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ଏହା ଅନୁସାରେ, ବର୍ତ୍ତମାନର ୧୨% ଓ ୨୮% ଜିଏସଟି ସ୍ଲାବକୁ ହଟାଇ ଏହା ବଦଳରେ ଦୁଇଟି ସ୍ଲାବ—୫% ଓ ୧୮%—ଲାଗୁ କରାଯିବ। ଏହି ନୂଆ ନିୟମ ଆସନ୍ତା ସେପ୍ଟେମ୍ବର ୨୨, ୨୦୨୫ ନବରାତ୍ରୀର ପ୍ରଥମ ଦିନଠାରୁ କାର୍ଯ୍ୟକାରୀ ହେବ।
ଏହି ନିଷ୍ପତ୍ତି ଫଳରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ। ଛେନା, ପନୀର, ରୁଟି, ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା, ମ୍ୟାପ, ଚାର୍ଟ, ଗ୍ଲୋବ, ପେନସିଲ, ଖାତା ବହି, ରବର, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ। ଏହା ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ରିଲିଫ ହେବ।
ସେହିପରି, ମୁଣ୍ଡଲଗା ତେଲ, ସାମ୍ପୁ, ସାବୁନ, ସାଇକେଲ, ଟୁଥପେଷ୍ଟ, ନମକିନ୍, ଭୁଜିଆ, ପାସ୍ତା, ନୁଡଲ୍ସ, ଚକଲେଟ, କଫି, ଘିଅ, ଲହୁଣି, ସିଲେଇ ମେସିନ ଓ ତା’ର ପାର୍ଟସ, ନ୍ୟାପକିନ, କ୍ଲିନିକାଲ ଡାଇପର ଏବଂ ଛୋଟ ପିଲାଙ୍କ କ୍ଷୀର ଖୁଆଇବା ବୋତଲ ଉପରେ ମାତ୍ର ୫% ଜିଏସଟି ଲାଗୁ ହେବ। ଏହା ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀକୁ ଆହୁରି ସୁଲଭ କରିବ।
ବିଳାସପୂର୍ଣ୍ଣ ସାମଗ୍ରୀ ଯେପରିକି ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଲଗଜରି କାର, ତମାଖୁ, ସିଗାରେଟ, ପାନ ମସଲା ଏବଂ ସୁଗାର ଯୁକ୍ତ ଏରେଟେଡ ଡ୍ରିଙ୍କସ ଉପରେ ୪୦% ଜିଏସଟି ଲାଗୁ ହେବ। ତେବେ, ତମାଖୁ ଜାତୀୟ ସାମଗ୍ରୀ ଉପରେ ଏହି ନୂଆ ସ୍ଲାବ ତୁରନ୍ତ ଲାଗୁ ହେବ ନାହିଁ, ବରଂ ଋଣ ଓ ସୁଧ ପେମେଣ୍ଟ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଏହାର ତାରିଖ ନିର୍ଦ୍ଧାରଣ କରିବେ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ଜିଏସଟି ସଂସ୍କାର ସାଧାରଣ ଜନତା, ମଧ୍ୟବିତ୍ତ ଶ୍ରେଣୀ, ଚାଷୀ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଦୃଷ୍ଟିରେ ରଖି କରାଯାଇଛି। ଏହା ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ହ୍ରାସ କରିବ ଏବଂ ଅର୍ଥନୈତିକ ଗତିବିଧିକୁ ବୃଦ୍ଧି କରିବ। ଏହା ସହିତ, କୃଷି ଉପକରଣ ଉପରେ ଜିଏସଟି ୧୨% ରୁ ୫%କୁ ହ୍ରାସ ପାଇଛି, ଯାହା ଚାଷୀଙ୍କ ପାଇଁ ଲାଭଦାୟକ ହେବ।
