ଓଡ଼ିଶାରେ ଆରମ୍ଭ ହେଲା କଂଗ୍ରେସର ସଂଗଠନ ସୃଜନ ଅଭିଯାନ: ନୂତନ ଜିଲ୍ଲା ସଭାପତି ଚୟନ ପାଇଁ ପ୍ରକ୍ରିୟା ଜୋରଦାର

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ନିର୍ଦ୍ଦେଶରେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ରାଜ୍ୟର ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ନୂତନ ସଭାପତି ଚୟନ ପ୍ରକ୍ରିୟା ଚାଲିଛି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶ୍ରୀ ଦାସ କହିଛନ୍ତି, ଗତକାଲି ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ଯଥାକ୍ରମେ ସାଂସଦ ଶ୍ରେୟାସ ଏମ୍ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନିୟାପନ ଭୁବନେଶ୍ୱରରେ ପହଞ୍ଚି ସଂପୃକ୍ତ ଜିଲ୍ଲା ଗସ୍ତ କରି ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ସେହିପରି ସୋମବାର ଦେବଗଡ଼, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ (ପୂର୍ବ), ନବରଙ୍ଗପୁର, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲା ପାଇଁ ଏଆଇସିସିର ବିଭିନ୍ନ ବରିଷ୍ଠ ନେତା ଯଥା ଚରଣ ସିଂହ ସାପ୍ରା, ବିମଳ ଶାହା, ରାଘବେନ୍ଦ୍ର ସିଂହ, ଅଖିଲେଶ ଶୁକ୍ଳା, ଜେଟି କୁସୁମ କୁମାର, ମହେଶ ଶର୍ମା ଓ ମନୋଜ ଚୌହାନ ଓଡ଼ିଶା ଆସିଛନ୍ତି।

ପ୍ରତ୍ୟେକ ଜିଲ୍ଲାରେ ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ସହଯୋଗ କରିବା ପାଇଁ ତିନି ଜଣିଆ ପିସିସି ପର୍ଯ୍ୟବେକ୍ଷକ ମଣ୍ଡଳୀ ନିଯୁକ୍ତ ହୋଇଛନ୍ତି, ଯେଉଁଥିରେ ଜଣେ ବରିଷ୍ଠ କଂଗ୍ରେସ ନେତା ସାମିଲ ଅଛନ୍ତି। ପର୍ଯ୍ୟବେକ୍ଷକମାନେ ନିଜ ନିଜ ଜିଲ୍ଲାରେ ଅନ୍ୟୁନ ୭ ଦିନ ବିଭିନ୍ନ ବ୍ଲକ୍ ଗସ୍ତ କରି ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରି ଏକ ୬ ଜଣିଆ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରିବେ। ଏହି ତାଲିକାରେ ଅନୁସୂଚିତ ଜାତି, ଜନଜାତି, ମହିଳା, ଓବିସି ଓ ସଂଖ୍ୟାଲଘୁ ବର୍ଗର ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦିଆଯାଇଛି। ଏହି ତାଲିକାରୁ ଏଆଇସିସି ଜଣେ ବ୍ୟକ୍ତିଙ୍କୁ ଜିଲ୍ଲା ସଭାପତି ଭାବେ ଘୋଷଣା କରିବ।

ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ପାଇଁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ପ୍ରତ୍ୟେକ ଜିଲ୍ଲାରେ ଯୋଗ୍ୟ ଓ ଦକ୍ଷ ବ୍ୟକ୍ତି ନେତୃତ୍ୱ ନେବେ ବୋଲି ଶ୍ରୀ ଦାସ ଆଶା ପ୍ରକାଶ କରିଛନ୍ତି। ଆବଶ୍ୟକ ସ୍ଥଳେ ପର୍ଯ୍ୟବେକ୍ଷକମାନେ ଅସୁସ୍ଥ ଓ ବୟୋବୃଦ୍ଧ ନେତାଙ୍କ ଘରକୁ ଯାଇ ସେମାନଙ୍କ ମତାମତ ଗ୍ରହଣ କରିବେ। ଏହି ପ୍ରକ୍ରିୟା ଆସନ୍ତା ୧୪ ସେପ୍ଟେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ମଙ୍ଗଳବାର ଆଉ ୭ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶା ଗସ୍ତରେ ଆସିବେ। ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଗଠନ ସୃଜନ ଅଭିଯାନର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଏଆଇସିସି ୱାର ରୁମ୍ ଓଡ଼ିଶା ସଂଯୋଜକ ହିତେଶ ମତୁୱାନି, ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ଓଡ଼ିଶା ୱାର ରୁମ୍ ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ଭିତ୍ତିଭୂମି ଉପାଧ୍ୟକ୍ଷ ପ୍ରଦୀପ ମହାପାତ୍ର, ୱାର ରୁମ୍ ସଦସ୍ୟ ତରୁଣ ମିଶ୍ର, ବାଙ୍କନିଧି ବେହେରା, ଶାନ୍ତନୁ ସାହୁ, ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *