ଆସୁଛି ହାଇଡ୍ରୋଜେନ୍ ବୋମା : ପାଟଣାରେ କହିଲେ ଭୋଟ ଚୋରିର ରହସ୍ୟ ଫାଶ ହେବ

ପାଟଣା: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପାଟଣାରେ ଏକ ଜନସଭାରେ ବିଜେପି ଉପରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ସେ ଏକ “ହାଇଡ୍ରୋଜେନ୍ ବୋମା” ପରି ରହସ୍ୟ ଉନ୍ମୋଚନ କରିବେ, ଯାହା ବିଜେପିର ଭୋଟ ଚୋରିର ସତ୍ୟତାକୁ ଦେଶ ସାମ୍ନାରେ ଆଣିବ।

‘ଭୋଟର ଅଧିକାର ଯାତ୍ରା’ ଅବସରରେ ପାଟଣାରେ ଜନତାଙ୍କୁ ସମ୍ବୋଧିତ କରି ରାହୁଲ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ, ଏନସିପି ଓ ଶିବସେନାଙ୍କଠାରୁ ଭୋଟ ଚୋରି ହୋଇଛି। ସେ କହିଛନ୍ତି, “ଲୋକସଭା ନିର୍ବାଚନ ପରେ ପ୍ରାୟ ଏକ କୋଟି ନୂଆ ଭୋଟର ତାଲିକାରେ ଯୋଗ ହୋଇଛନ୍ତି। ଆମ ମେଣ୍ଟର ଭୋଟ ଲୋକସଭା ଓ ବିଧାନସଭାରେ ସମାନ ଥିଲା, କିନ୍ତୁ ନୂଆ ଭୋଟ ସବୁ ବିଜେପିକୁ ଗଲା। ଏହା ନିର୍ବାଚନ ଆୟୋଗ ଓ ବିଜେପିର ମିଳିତ ଷଡଯନ୍ତ୍ର ଯୋଗୁଁ ହୋଇଛି।” ସେ ବେଙ୍ଗାଲୁରୁ ସେଂଟ୍ରାଲରେ ଏକ ଲକ୍ଷ ନକଲି ଭୋଟର ଅଭିଯୋଗକୁ ଉଠାଇ କହିଛନ୍ତି, “ଯେଉଁଠାରେ ଏକ ଲକ୍ଷ ନକଲି ଭୋଟ ଥାଏ, ସେଠାରେ ଆମେ ହାରୁଛୁ ଓ ସେହି ଭୋଟରେ ବିଜେପି ଲୋକସଭା ଜିତୁଛି।”

ରାହୁଲ ବିଜେପି ନେତାମାନଙ୍କୁ ଚେତାବନୀ ଦେଇ କହିଛନ୍ତି, “ବିଜେପି ପ୍ରସ୍ତୁତ ରୁହନ୍ତୁ। ହାଇଡ୍ରୋଜେନ୍ ବୋମା ଆସୁଛି। ଭୋଟ ଚୋରିର ସତ୍ୟତା ସାରା ଦେଶ ଜାଣିବ। ଏହା ପରେ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମୁହଁ ଦେଖାଇ ପାରିବେ ନାହିଁ।”

ସେ ଭୋଟ ଚୋରିକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ବର୍ଣ୍ଣନା କରି କହିଛନ୍ତି, “ଭୋଟ ଚୋରି ମାନେ ଅଧିକାର, ସଂରକ୍ଷଣ, ଗଣତନ୍ତ୍ର ଓ ଯୁବକଙ୍କ ଭବିଷ୍ୟତର ଚୋରି। ଏମାନେ କେବଳ ଭୋଟ ନୁହେଁ, ଆପଣଙ୍କ ଜମି, ରାସନ କାର୍ଡ ଚୋରି କରି ଅଦାନୀ ଓ ଆମ୍ବାନୀଙ୍କୁ ଦେବେ। ଯେଉଁ ଶକ୍ତି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲା, ସେହି ଶକ୍ତି ଏବେ ଗାନ୍ଧୀ ଓ ଆମ୍ବେଦକରଙ୍କ ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି।”

ବିହାରର ଯୁବକଙ୍କ ବ୍ୟାପକ ସମର୍ଥନ ସହିତ ‘ଭୋଟର ଅଧିକାର ଯାତ୍ରା’ ନିର୍ବାଚନୀ ଅଧିକାର ସୁରକ୍ଷା ପାଇଁ ଜନସମର୍ଥନର ପ୍ରମାଣ ଦେଉଛି ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ଦାବି ଯେ ତାଙ୍କ ଦଳ ଶୀଘ୍ର ଭୋଟ ଚୋରି ଅଭିଯୋଗରେ ଏକ “ହାଇଡ୍ରୋଜେନ ବୋମା” ପରି ଖୁଲାସା କରିବ, ଏହାର ଜବାବରେ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ତଥା ବିଜେପି ସାଂସଦ ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି: “…ରାହୁଲ ଗାନ୍ଧୀ ‘ହାଇଡ୍ରୋଜେନ ବୋମା’ ବିସ୍ଫୋରଣ ବିଷୟରେ କହୁଛନ୍ତି…ତାଙ୍କର କର୍ଣ୍ଣାଟକର ‘ଆଟମ ବୋମା’ ତ ଏକ ଛୋଟ ଦୀପାବଳି ଫୁଟକା ପରି ମଧ୍ୟ ହୋଇପାରିଲା ନାହିଁ।”

Leave a Reply

Your email address will not be published. Required fields are marked *