ଚାଷୀଙ୍କ ସମସ୍ୟା ନେଇ ବିଜେଡିର ଚେତାବନୀ: ଦୁଇ ଦିନରେ ସମାଧାନ ନହେଲେ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସାରର କଳାବଜାରୀ ଏବଂ ସରକାରୀ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି ହେବା ଘଟଣାକୁ ନେଇ ବିରୋଧୀ ଦଳ ବିଜୁ ଜନତା ଦଳ କଡା ଚେତାବନୀ ଦେଇଛି। ବିଜେଡି କହିଛି ଯେ, ଆଗାମୀ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ। ଏହି ଘଟଣାରେ ସରକାରଙ୍କୁ ସିଧାସଳଖ ଦାୟୀ କରି ବିଜେଡି କହିଛି ଯେ, ସମବାୟ ବିଭାଗ ଏବଂ କୃଷି ବିଭାଗ ମଧ୍ୟରେ ଆଭ୍ୟନ୍ତରୀଣ ଲଢେଇ ଯୋଗୁଁ ଚାଷୀମାନେ ଭୋଗୁଛନ୍ତି।

ବିଜେଡିର ଜଣେ ବରିଷ୍ଠ ନେତା ଏକ ବୟାନରେ କହିଛନ୍ତି ଯେ, ସାରର କଳାବଜାରୀ ଏକ ଗମ୍ଭୀର ସମସ୍ୟା ହୋଇପଡିଛି ଏବଂ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। “ସରକାରୀ ଦରଠାରୁ ଅଧିକରେ ସାର ବିକ୍ରି ହେଉଛି ଏବଂ ଏଥିପାଇଁ ସରକାର ସିଧାସଳଖ ଦାୟୀ। ଏହାକୁ ସଜାଡିବା ପରିବର୍ତ୍ତେ ବିରୋଧୀଙ୍କୁ ଦାୟୀ କରିବାକୁ ଚେଷ୍ଟା କରୁଛନ୍ତି ସମବାୟ ମନ୍ତ୍ରୀ। କୃଷି ମନ୍ତ୍ରୀ ତ କଟା ଘାରେ ଚୁନ ମାରିବା ଭଳି କଥା କହୁଛନ୍ତି,” ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସମବାୟ ଏବଂ କୃଷି ବିଭାଗ ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ କଳହର ଫଳ ଚାଷୀମାନେ ଭୋଗୁଛନ୍ତି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି ଲେଖା ପରେ ସରକାର ଚେତିଛନ୍ତି ବୋଲି ବିଜେଡି ଦାବି କରିଛି। ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ସତ୍ତ୍ୱେ ସରକାର କହୁଛନ୍ତି ଯେ କୌଣସି ସମସ୍ୟା ନାହିଁ। “ଯଦି କିଛି ସମସ୍ୟା ନାହିଁ କି ଦୁର୍ନୀତି ନାହିଁ, ତେବେ ଚାଷୀମାନେ କାହିଁକି ଆନ୍ଦୋଳନକୁ ଓହ୍ଲାଉଛନ୍ତି? କାହିଁକି କାରଣ ଦର୍ଶାଅ ନୋଟିସ ଜାରି କରାଯାଉଛି?” ବୋଲି ବିଜେଡି ପ୍ରଶ୍ନ କରିଛି। ସେମାନେ ଆହୁରି କହିଛନ୍ତି ଯେ, ବିଗତ ଦିନରେ ଚାଷୀମାନେ ସାର ପାଇଁ କେବେ ରାଜରାସ୍ତାକୁ ଆସି ନଥିଲେ, କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଟ୍ରାକ୍ ବାହାରକୁ ଚାଲି ଯାଇଛି।ଏହି ଘଟଣା ରାଜ୍ୟରେ କୃଷି ସମସ୍ୟାକୁ ଆହୁରି ଉଗ୍ର କରିଛି।

Leave a Reply

Your email address will not be published. Required fields are marked *