୭ ବର୍ଷ ପରେ ଚୀନରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଲେ ମୋଦୀ

ତିଆଞ୍ଜିନ୍: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଚୀନର ତିଆଞ୍ଜିନ୍‌ରେ ଭେଟଘାଟ କରିଛନ୍ତି। ଏହି ବୈଠକ ସଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସ୍‌ସିଓ) ଶିଖର ସମ୍ମିଳନୀର ସାଇଡ୍‌ଲାଇନ୍‌ରେ ହୋଇଥିଲା। ଏହା ମୋଦୀଙ୍କର ଚୀନ ଗସ୍ତର ୭ ବର୍ଷ ପରେ ପ୍ରଥମ ବୈଠକ। ଉଭୟ ନେତା ହାତ ମିଳାଇ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ।

ବୈଠକରେ ଉଭୟ ଦେଶ ମଧ୍ୟରେ ସୀମା ପରିଚାଳନା ନେଇ ଚୁକ୍ତି ହୋଇଛି। ଏହା ସହ କୈଳାଶ ମାନସରୋବର ଯାତ୍ରା ପୁନରାରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ପୁନର୍ବାର ଆରମ୍ଭ ହେବ। ଏହା ଛଡ଼ା ସୀମା ବାଣିଜ୍ୟ ପୁନଃ ଆରମ୍ଭ ପାଇଁ ଲିପୁଲେଖ୍, ଶିପକି ଲା ଓ ନାଥୁଲା ଦେଇ ବାଟ ଖୋଲାଯିବ ଏବଂ ଭିସା ନିୟମରେ ଶିଥିଳତା ଆଣିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ବୈଠକରେ ଆମେରିକାର ଉଚ୍ଚ ଟାରିଫ୍ ନେଇ ମଧ୍ୟ ଆଲୋଚନା ହୋଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଟାରିଫ୍ ବଢ଼ାଇବା ଯୋଗୁଁ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସହଯୋଗ ବଢ଼ାଇବାକୁ ଆଲୋଚନା କରାଯାଇଛି।

ଦୁଇ ଦେଶର ୨୮୦ କୋଟି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିଗୁଡ଼ିକ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, “ଆମର ସମ୍ପର୍କ ପରସ୍ପର ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଉପରେ ଆଧାରିତ। ଗତ ବର୍ଷ କାଜାନରେ ଆମର ଆଲୋଚନା ସମ୍ପର୍କକୁ ସକାରାତ୍ମକ ଦିଗ ଦେଇଛି।”

ପାଖାପାଖି ୧ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ପରେ ଉଭୟ ନେତା ସମ୍ପର୍କକୁ ମଜବୁତ୍ କରିବା ଦିଗରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ୨୦୨୦ରେ ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ପରେ ସମ୍ପର୍କରେ ତିକ୍ତତା ଆସିଥିଲା। ଏବେ ସୀମାରେ ଅବନତି ପରେ ଶାନ୍ତି ଏବଂ ସ୍ଥିରତା ସୃଷ୍ଟି ହୋଇଛି ବୋଲି ମୋଦୀ କହିଛନ୍ତି।

Leave a Reply

Your email address will not be published. Required fields are marked *