ବିଜେଡିରେ ଅସନ୍ତୋଷର ସୁଅ: ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରକ ମନ୍ତବ୍ୟ, ଦଳରୁ ଦୂରେଇବା ନେଇ ଘୋଷଣା
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ରେ ଅସନ୍ତୋଷର ସ୍ୱର ପୁଣି ଥରେ ଶୁଣାଯାଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଦଳ ଓ ଏହାର ନୀତିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ଅଶୋକ ପଣ୍ଡାଙ୍କ ପରେ ଏବେ ପ୍ରଫୁଲ୍ଲ ମଲ୍ଲିକଙ୍କ ଏହି ବୟାନ ବିଜେଡି ନେତୃତ୍ୱ ପାଇଁ ନୂଆ ଚିନ୍ତାର କାରଣ ହୋଇପାରେ।
ଶ୍ରୀ ମଲ୍ଲିକ କହିଛନ୍ତି, “ବିଜେଡିରେ ଆଦର୍ଶ ଓ ନୀତିର ଅଭାବ ଦେଖାଦେଇଛି। ଦଳ ତା’ର ମୂଳ ଆଦର୍ଶରୁ ଦୂରେଇ ଯାଉଛି। ଏକ ବିରୋଧୀ ଦଳ ଭାବେ ବିଜେଡି ଯେଉଁଭଳି କାର୍ଯ୍ୟ କରିବା ଦରକାର, ତାହା କରୁନାହିଁ।” ସେ ଆହୁରି କହିଛନ୍ତି, “ମୁଁ ଏବେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛି। ବିଜେଡି ପ୍ରତି ମୋର ଆଗ୍ରହ କମିଯାଇଛି। ପରିସ୍ଥିତି ଦେଖି ମୁଁ ଆଗାମୀ ଦିନରେ ନିଷ୍ପତ୍ତି ନେବି, ଏବଂ ଆବଶ୍ୟକ ହେଲେ ଦଳରୁ ମଧ୍ୟ ଦୂରେଇ ଯାଇପାରେ।”
ଏହି ବୟାନ ବିଜେଡିରେ ଅଭ୍ୟନ୍ତରୀଣ ଅସନ୍ତୋଷ ଓ ନେତୃତ୍ୱଙ୍କ ପ୍ରତି ଅସନ୍ତୁଷ୍ଟିର ଏକ ସଙ୍କେତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅଶୋକ ପଣ୍ଡାଙ୍କ ପରେ ପ୍ରଫୁଲ୍ଲ ମଲ୍ଲିକଙ୍କ ଏଭଳି ମନ୍ତବ୍ୟ ଦଳ ଭିତରେ ମତାନ୍ତର ସମ୍ଭାବନାକୁ ଆହୁରି ଜୋରଦାର କରିଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ଏହା ବିଜେଡିର ଅଭ୍ୟନ୍ତରୀଣ ସଙ୍ଗଠନ ଓ ନେତୃତ୍ୱ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
